ଅଯୋଗ୍ୟ ଶିକ୍ଷାନୁଷ୍ଠାନକୁ ପିଏମ୍‌ଏସ୍‌ ଅନୁକମ୍ପା

ଭୁବନେଶ୍ୱର,୪।୧୦(ଅନିଲ ଦାସ)ରାଜ୍ୟ ସରକାର ଜନସାଧାରଣଙ୍କ ମଙ୍ଗଳ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସେହି ଯୋଜନାର ସୁଫଳ କିପରି ଲୋକମାନେ ପାଇପାରିବେ ସେ ନେଇ ସର୍ବଦା ଗୁରୁତ୍ୱ ଦେଉଛନ୍ତି। କର୍ମଚାରୀମାନେ ଉତ୍ସର୍ଗୀକୃତ ଭାବେ ଜନସାଧାରଣଙ୍କ ସେବା କରିବାକୁ ମୁଖ୍ୟମନ୍ତ୍ରୀ ସର୍ବଦା ପରାମର୍ଶ ଦେଇ ଆସୁଛନ୍ତି। ହେଲେ କେତେଜଣ ଅଫିସରଙ୍କ ଦୁର୍ନୀତିଖୋର ମନୋଭାବ ଓ ଚଞ୍ଚକତା ଯୋଗୁ ସରକାରଙ୍କୁ ବଦନାମ ହେବାକୁ ପଡୁଛି। ବେସରକାରୀ ଶିକ୍ଷାନୁଷ୍ଠାନକୁ ଅହେତୁକ ଅନୁକମ୍ପା ଦେଖାଇ କେତେଜଣ ଜିଲା ମଙ୍ଗଳ ଅଧିକାରୀ (ଡିଡବ୍ଲ୍ୟୁଓ) ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି (ପିଏମ୍‌ଏସ୍‌) ଯୋଜନା ଅର୍ଥରେ ଚଞ୍ଚକତା କରିଛନ୍ତି। ଅଯୋଗ୍ୟ ଶିକ୍ଷାନୁଷ୍ଠାନ ଏବଂ ପାଠ୍ୟକ୍ରମ ଶେଷ କରି ନ ଥିବା ଛାତ୍ରୀଛାତ୍ରଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। କେବଳ ସେତିକି ନୁହେଁ, ଶିକ୍ଷାନୁଷ୍ଠାନ ନ ଥିବା ଛାତ୍ରୀଛାତ୍ରଙ୍କୁ ମଧ୍ୟ ବୃତ୍ତି ପ୍ରଦାନ କରାଯାଇଛି। ଏଥିଯୋଗୁ ରାଜ୍ୟ ତହବିଲରୁ ବହୁ କୋଟି ଟଙ୍କା ହରିଲୁଟ ହୋଇଛି। ଦୁର୍ନୀତିକୁ ରୋକିବା ପାଇଁ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର ବ୍ୟବସ୍ଥା ପ୍ରଚଳନ କରାଯାଇଥିଲେ ମଧ୍ୟ ତାହାକୁ ଅନୁପାଳନ କରାଯାଇ ନାହିଁ। ମଙ୍ଗଳବାର ବିଧାନସଭାରେ କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି)ଙ୍କ ଦ୍ୱାରା କରାଯାଇଥିବା ଡାଇରେକ୍ଟ ବେନିଫିଟ୍‌ ଟାନ୍ସଫର (ଡିବିଟି) ଜରିଆରେ ରାଜ୍ୟରେ ଦିଆଯାଉଥିବା ମାଟ୍ରିକ ପରବର୍ତ୍ତୀ ବୃତ୍ତି ଯାଞ୍ଚ ରିପୋର୍ଟରେ ଏଭଳି ତଥ୍ୟ ପଦାକୁ ଆସିଛି। ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି ଯେ ଡିଡବ୍ଲ୍ୟଓ କୌଣସି ଯାଞ୍ଚ ନ କରି ୧୫ଟି ବେସରକାରୀ ଶିକ୍ଷାନୁଷ୍ଠାନର ୫୧୮୫ ହିତାଧିକାରୀଙ୍କୁ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ପ୍ରଦାନ କରିଛନ୍ତି। ଏ ବାବଦରେ ୨୦୧୬ରୁ ୨୦୨୦ ମଧ୍ୟରେ ରାଜକୋଷରୁ ୧୫ କୋଟି ୭୯ ଲକ୍ଷ ଟଙ୍କା ବରବାଦ ହୋଇଛି। ସେହିପରି ପାଠ୍ୟକ୍ରମ ବନ୍ଦ କରିବା ପରେ ମଧ୍ୟ ୨,୯୯୬ ଛାତ୍ରୀଛାତ୍ରଙ୍କୁ ୨୦୧୭ରୁ ୨୦୨୧ ମଧ୍ୟରେ ୭ କୋଟି ୩୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯେ ଗୋଟିଏ ଶିକ୍ଷାନୁଷ୍ଠାନର ପାଠ ଛାଡ଼ିଥିବା ଛାତ୍ରୀଛାତ୍ରମାନଙ୍କ ପକ୍ଷରୁ ବୃତ୍ତି ପାଇଁ ଆବେଦନ କରାଯାଇଥିଲା । କୌଣସି ଯାଞ୍ଚ କରା ନ ଯାଇ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ବ୍ୟାଙ୍କ ଆକାଉଣ୍ଟକୁ ଉକ୍ତ ରାଶି ପ୍ରଦାନ କରାଯାଇଥିଲା। ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ ରାଜ୍ୟର ୩ଟି ଜିଲାର ୧୪ଟି ଅନୁଷ୍ଠାନରେ କୌଣସି ଛାତ୍ରୀଛାତ୍ର ନ ଥାଇ ୧୪.୧୭ ଲକ୍ଷ ଟଙ୍କାର ପିଏମ୍‌ଏସ୍‌ ପ୍ରଦାନ କରାଯାଇଛି।

Share