Categories: ଜାତୀୟ

‘ କୋଭିଡ୍‌-୧୯ର ଦ୍ୱିତୀୟ ଲହର ପାଇଁ ପ୍ରଧାନମନ୍ତ୍ରୀ ଦାୟୀ ’

ନୂଆଦିଲ୍ଲୀ,୨୮।୫: କୋଭିଡ୍‌-୧୯ର ଦ୍ୱିତୀୟ ଲହର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟୀ। ଆଉ ଦେଶରେ ଯେଉଁ ଗତିରେ ଟିକାକରଣ ଚାଲିଛି, ବିଭିନ୍ନ ପର୍ଯ୍ୟାୟରେ କରୋନା ସଂକ୍ରମଣ ହାରରେ ବୃଦ୍ଧି ଦେଖାଦେବ ବୋଲି ଆକଳନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏଭଳି ସମାଲୋଚନା ପରେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଦେଶରେ ଟିକାକରଣ ପ୍ରକ୍ରିୟା ଶେଷ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

” କରୋନାର ପ୍ରଥମ ଲହରକୁ କେହି ବୁଝି ପାରି ନ ଥିଲେ। କିନ୍ତୁ ଦ୍ୱିତୀୟ ଲହରକୁ ରୋକିବା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ ଥିଲା। ଦାୟିତ୍ୱ ତୁଲାଇବାରେ ତାଙ୍କ ବିଫଳତା ହିଁ ଦ୍ୱିତୀୟ ଲହରର କାରଣ। ଦୁର୍ଭାଗ୍ୟବଶତଃ, ପ୍ରଧାନମନ୍ତ୍ରୀ ଜଣେ ଇଭେଣ୍ଟ ମ୍ୟାନେଜର। ସେ ଏକକାଳୀନ ଗୋଟିଏରୁ ଅଧିକ ଇଭେଣ୍ଟ ସମ୍ଭାଳିପାରିବେ ନାହିଁ। ଏଭଳି କଠିନ ସମୟରେ ଇଭେଣ୍ଟ ମ୍ୟାନେଜର ଆମକୁ ଦରକାର ନାହିଁ। ଆମକୁ ପ୍ରଭାବି ଓ ଦ୍ରୁତବେଗରେ କାର୍ଯ୍ୟ କରୁଥିବା ପ୍ରଶାସନ ଦରକାର “ ବୋଲି ଭର୍ଚୁଆଲ ଖବରଦାତା ସମ୍ମିଳନୀରେ ରାହୁଲ କହିଛନ୍ତି।

ସାମାଜିକ ଦୂରତା ଓ ମାସ୍କ ଦ୍ୱାରା ମହାମାରୀକୁ ରୋକିହେବ ନାହିଁ। କୋଭିଡ୍‌ ବିରୋଧରେ ଟିକା ଓ ଲକଡାଉନ ସ୍ଥାୟୀ ଉପାୟ। ଟିକାକରଣର କୌଣସି ନିର୍ଦ୍ଧିଷ୍ଟ ଷ୍ଟାଟେଜି ନ ଥିବାରୁ ବିଭିନ୍ନ ପର୍ଯ୍ୟାୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବ। ଭାରତରେ କେବଳ ୩ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇଥିବା ରାହୁଲ କହିଛନ୍ତି।

Share