Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ପୁଣି ଅବହେଳା: ଯୁବକ ରୋଡ ଶୋ’ରେ ଧସେଇ ପଶିଲେ…

ବେଙ୍ଗାଲୁରୁ,୨୫।୩ : ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଅବହେଳା ନେଇ ଏକ ଖବର ଆସିଛି। ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ କର୍ନାଟକ ଗସ୍ତ ସମୟରେ ଏହି ଅଘଟଣ ଘଟିଛି। ଯେତେବେଳେ ପିଏମ ମୋଦିଙ୍କ କାର ଦାଭାନଗେରେ ଯାଉଥିଲା, ଜଣେ ଯୁବକ ତାଙ୍କ କାର ନିକଟକୁ ଧସେଇ ପଶିଥିଲେ। ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ ସମୟରେ ଯୁବକ ଜଣକ ମୋଦିଙ୍କ ସୁରକ୍ଷା ବଳୟରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ।

ସୁରକ୍ଷାରେ ମୁତୟନ ଥିବା ପୋଲିସ କର୍ମଚାରୀ ତୁରନ୍ତ ଯୁବକଙ୍କୁ ଧରିଥିଲେ। ଯୁବକଙ୍କୁ ପଚରାଉଚରା କରାଯାଉଛି। ତିନିମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପିଏମ ମୋଦିଙ୍କ ସୁରକ୍ଷା କ୍ଷେତ୍ରରେ ପୁଣି ଥରେ ଏକ ଅଘଟଣ ଘଟିଛି। ଜାନୁଆରୀରେ କର୍ନାଟକର ହୁବଲିରେ ଜଣେ ଶିଶୁ ରୋଡ ଶୋ‘ରେ ପିଏମ ମୋଦିଙ୍କ ନିକଟରେ ପହଞ୍ଚି ଯାଇଥିଲେ।

ମେ ମାସରେ କର୍ନାଟକରେ ବିଧାନସଭା ନିବ;ାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଶନିବାର ଭାଜପା ପକ୍ଷରୁ ଦାଭାନଗେରେଠାରେ ବିଜୟ ସଙ୍କଳ୍ପ ଯାତ୍ରା ଆରମ୍ଭ କରିଛି। ଭାଜପା ଅଭିଯାନର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ମୋଦି ଏକ ବିରାଟ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। କିନ୍ତୁ ଏହାପୂର୍ବରୁ ସେ ଏକ ରୋଡ ଶୋ କରିଥିଲେ। ଏହି ରୋଡ ଶୋ ସମୟରେ ଜଣେ ଯୁବକ ହଠାତ ସୁରକ୍ଷା କର୍ଡନ ଭାଙ୍ଗି ପିଏମ ମୋଦିଙ୍କ କାର ଆଡକୁ ମାଡ଼ି ଆସିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ତାଙ୍କୁ ତୁରନ୍ତ ଗିରଫ କରିଥିଲେ।

Share