ଯୋଗ ପାଇଁ ଏକାଠି ହୋଇଛି ବିଶ୍ୱ: ମୋଦି

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧।୬: ମିଳିତ ଜାତିସଂଘର ମୁଖ୍ୟାଳୟରେ ବୁଧବାର ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଏହାର ନେତୃତ୍ୱ ନେଇଛନ୍ତି। ଏହି ଅବସରରେ ସେ ୧୩୫ଟି ଦେଶର ପ୍ରତିନିଧିଙ୍କ ସହିତ ମିଶି ଯୋଗାଭ୍ୟାସ କରିଥିଲେ। ପ୍ରଧାନମନ୍ତ୍ରୀ ଉପସ୍ଥିତ ଅତିଥିଙ୍କୁ ସମ୍ବୋଧିତ କରି କହିଥିଲେ, ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୩ ପାଳନ କରିବା ଭାରତର ପ୍ରସ୍ତାବକୁ ସମର୍ଥନ କରି ସମଗ୍ର ବିଶ୍ୱ ଏକତ୍ରିତ ହୋଇଛନ୍ତି। ଯୋଗ ପାଇଁ ବିଶ୍ୱ ପୁଣି ଥରେ ଏକାଠି ହୋଇଥିବା ବେଳେ ଏହା ଭାରତର ଏକ ପୁରାତନ ପରମ୍ପରା କପିରାଇଟ ମୁକ୍ତ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ। ଏପରି କି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୧୩୫ ଦେଶର ପ୍ରତିନିଧିଙ୍କୁ ଯୋଗ ଦିବସ ଅବସରରେ ସେ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମରେ ୧୩୫ ଦେଶର ପ୍ରତିନିଧି ଯୋଗଦେଇ ଗିନିଜ ୱାଲର୍‌ଡ ରେକର୍ଡ ସୃଷ୍ଟି ହୋଇଛି।

ମିଳିତ ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ରୁଚିରା କାମ୍ବୋଜ କହିଛନ୍ତି, ଆଜିର ଏହି ଉତ୍ସବ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ହୋଇପାରିଛି। ତାଙ୍କ ନେତୃତ୍ୱରେ ଜୁନ୍‌ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରାଯାଇଥିଲା ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ୩ ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଆମେରିକାରେ ପହଞ୍ଚିବା ପରେ ସେ ଟେସ୍‌ଲା କମ୍ପାନୀ ମାଲିକ ଏଲନ୍‌ ମସ୍କଙ୍କୁ ଭେଟି ଭାରତରେ ପୁଞ୍ଜି ନିବେଶ କ୍ଷେତ୍ରରେ ଆଲୋଚନା କରିଥିଲେ। ବୁଧବାର ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସେ ଜାତିସଂଘର ମୁଖ୍ୟାଳୟରେ ଉପସ୍ଥିତ ରହି ଏହାର ନେତୃତ୍ୱ ନେଇଥିଲେ। ଏହା ପରେ ମୋଦି ଓ୍ବାଶିଂଟନ ଯିବାର କାର୍ଯ୍ୟକ୍ରମ ରହିଛି।

Share