ମହାପ୍ରଭୁଙ୍କ ପାଇଁ ପାଣିର ବାଷ୍ପରେ ପ୍ରସ୍ତୁତ ହୁଏ ପୋଡ଼ପିଠା

ପୁରୀ,୧୪ା୭(ଅଜିତ୍‌ କୁମାର ମହାନ୍ତି)ଭୋଜନ ପ୍ରିୟ ମହାପ୍ରଭୁ ଶ୍ରୀଜଗନ୍ନାଥ। ସେଥିପାଇଁ ତାଙ୍କ ନିକଟରେ ପ୍ରତିଦିନ ୬୦ ପଉଟି ଭୋଗ ଓ ୫୬ ପ୍ରକାର ବ୍ୟଞ୍ଜନର ବ୍ୟବସ୍ଥା ରହିଛି। ତଥାପି ଖାଦ୍ୟରେ ମହାପ୍ରଭୁଙ୍କର ଥାଏ ବିଶେଷ ଅଭିରୁଚି। ପ୍ରତିଦିନ ତାଙ୍କ ପାଖରେ ପିଠା ଭୋଗ କରାଯାଏ। ସେହିପରି ଘୋଷଯାତ୍ରାର ଅନନ୍ୟ ଓ ପ୍ରମୁଖ ପରମ୍ପରା ହେଉଛି ବାହୁଡ଼ାରେ ଦାରୁବିଗ୍ରହଙ୍କୁ ପୋଡ଼ପ଼ିଠା ଭୋଗ ମଣୋହୀ କରାଯିବା। ଦାରୁଦିଅଁ ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କଲାବେଳେ ତାଙ୍କ ମାଉସୀ ମା’ ଭାବେ ପରିଚିତ ମା’ ଅର୍ଦ୍ଧଶୋଷିନୀ ପୋଡ଼ପିଠା ପ୍ରସ୍ତୁତ କରିଥାନ୍ତି। ମହାପ୍ରଭୁ ସଦାସର୍ବଦା ବାତ୍ସଲ୍ୟ ମମତାରେ ବନ୍ଧା। ମହାପ୍ରଭୁ ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ଫେରିବା ବେଳେ ମାଉସୀଙ୍କ ହାତ ତିଆରି ପୋଡ଼ପିଠାକୁ ଭୁଲି ନ ଥାନ୍ତି। ଗୁଣ୍ଡିଚା ମନ୍ଦିରରୁ ଫେରିବା ବେଳେ ବାହୁଡ଼ା ଯାତ୍ରାରେ ରଥାରୂଢ଼ ଶ୍ରୀବିଗ୍ରହଙ୍କୁ ମାଉସୀ ମା’ ମନ୍ଦିର ସମ୍ମୁଖରେ ପୋଡ଼ପ଼ିଠା ଭୋଗ କରାଯାଇଥାଏ। କାହିଁ କେଉଁ କାଳରୁ ଏହି ପରମ୍ପରା ଚାଲି ଆସୁଛି। ବର୍ତ୍ତମାନର ମା’ଙ୍କ ମୁଖ୍ୟ ପୂଜକ ବିଶ୍ୱନାଥ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଡ଼ପିଠା ପ୍ରସ୍ତୁତ କରାଯାଉଛି। ହେରା ପଞ୍ଚମୀ ତିଥିରୁ ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ ହୋଇଥାଏ। ଏହା ପୋଡ଼ାଯାଇ ନ ଥାଏ। ପାଣିର ବାଷ୍ପରେ ପୋଡପ଼ିଠା ପ୍ରସ୍ତୁତ ହୋଇଥାଏ। ଭଲ ଘିଅ, ଅଟା, ଅଳେଇଚ, ଲବଙ୍ଗ, ପିସ୍ତାବାଦାମ ପରି ବିଭିନ୍ନ ସୁସ୍ବାଦୁ ପ୍ରଦାର୍ଥ ପକାଯାଇ ପୋଡ଼ପିଠା ପ୍ରସ୍ତୁତ କରାଯାଏ। ୧୦ରୁ ୧୨ଘଣ୍ଟା ପାଣି ବାଷ୍ପରେ ପିଠା ପ୍ରସ୍ତୁତ ହୁଏ। ପୋଡ଼ପିଠା ପ୍ରସ୍ତୁତ ହେବା ପରେ ପିଠାକୁ ଥଣ୍ଡା କରାଯାଏ। ପରେ ତାକୁ ସାଇଜରେ ଖଣ୍ଡ ଖଣ୍ଡ ଭାବେ କଟାଯାଏ। ଏହି ପିଠାଗୁଡିକୁ ଭଲ ଘିଅରେ ଛଣାଯାଏ। ପରେ ସେଗୁଡିକୁ ମାଟି କୁଡ଼ିଆରେ ରଖାଯାଏ। ବାହୁଡ଼ା ଯାତ୍ରା ଦିନ ତିନି ରଥ ମାଉସୀ ମା’ଙ୍କ ମନ୍ଦିର ନିକଟରେ ପହଞ୍ଚତ୍ବା ପରେ ପୂଜାପଣ୍ଡା ସାମନ୍ତଙ୍କ ଦ୍ୱାରା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୋଡ଼ପିଠାଗୁଡ଼ିକୁ ସର୍ମପଣ କରାଯାଇଥାଏ।

Share