କବି ନିତ୍ୟାନନ୍ଦ ନାୟକଙ୍କୁ ମିଳିଲା ଶାରଳା ପୁରସ୍କାର

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ଶ୍ରେଷ୍ଠ ସାହିତ୍ୟକୃତି ଲାଗି ପ୍ରତି ବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ବରିଷ୍ଠ କବି ନିତ୍ୟାନନ୍ଦ ନାୟକଙ୍କୁ ପ୍ରଦାନ କରାଯାଇଛି। ୨୦୧୭ରେ ଫ୍ରେଣ୍ଡସ୍‌ ପବ୍ଲିଶର୍ସ ଦ୍ୱାରା ପ୍ରକାଶିତ ତାଙ୍କ ରଚିତ କବିତା ସଂକଳନ ‘ସେତେବେଳକୁ ନ ଥିବି’ ପାଇଁ ସେ ଏହି ସମ୍ମାନ ଲାଭ କରିଛନ୍ତି। କରୋନାଜନିତ କଟକଣାକୁ ଦୃଷ୍ଟିରେ ରଖି ଏକ ନିରାଡମ୍ବର ସମାବେଶରେ ନାୟକଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ୫ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ସେହିଭଳି ସଙ୍ଗୀତ ଏବଂ ଚିତ୍ରକଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ବିଶିଷ୍ଟ ଚିତ୍ରକର ଶ୍ୟାମସୁନ୍ଦର ପଟ୍ଟନାୟକଙ୍କୁ ଇଲା ପଣ୍ଡା ଚିତ୍ରକଳା ସମ୍ମାନ ଓ ସଙ୍ଗୀତଜ୍ଞ ରଞ୍ଜିତ କୁମାର ନାଗଙ୍କୁ ଇଲା ପଣ୍ଡା ସଙ୍ଗୀତ ସମ୍ମାନ ପ୍ରଦାନ କରାଯାଇଛି। ପୁରସ୍କାର ସ୍ବରୂପ ଉଭୟଙ୍କୁ ୧ ଲକ୍ଷ ୫୦ ହଜାର ଟଙ୍କା ଲେଖାଏ ଅର୍ଥରାଶି ସହ ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଅବସରରେ ଇମ୍ଫା ଚାରିଟେବଲ ଟ୍ରଷ୍ଟର ଟ୍ରଷ୍ଟି ପାରମିତା ପଣ୍ଡା ଉପସ୍ଥିତ ରହି କହିଥିଲେ, କୋଭିଡ୍‌ ଲାଗି ଚଳିତ ବର୍ଷର ଉତ୍ସବରେ ପୁରସ୍କାର ପ୍ରଦାନ ପାଇଁ ନିମନ୍ତ୍ରିତ ଅତିଥି ନାହାନ୍ତି। ମାତ୍ର ସାହିତ୍ୟ ଓ କଳା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଯେଉଁ ୩ ଜଣ ପ୍ରତିଭାଙ୍କୁ ଏଥର ପୁରସ୍କୃତ କରାଯାଇଛି ସେମାନେ ହିଁ ଆମ ପାଇଁ ବରେଣ୍ୟ ବୋଲି ସେ କହିଥିଲେ। ଶିଳ୍ପପତି ସ୍ବର୍ଗତ ଡ. ବଂଶୀଧର ପଣ୍ଡା ଏବଂ ସ୍ବର୍ଗତ ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଶାରଳା ପୁରସ୍କାର’ ଇମ୍ଫା ଗ୍ରୁପ୍‌ ଦ୍ୱାରା ପରିଚାଳିତ ଇଣ୍ଡିଆନ୍‌ ମେଟାଲସ୍‌ ଆଣ୍ଡ୍‌ ପବ୍ଳିକ୍‌ ଚାରିଟେବଲ୍‌ ଟ୍ରଷ୍ଟ୍‌(ଇମ୍ପାକ୍ଟ) ଆନୁକୂଲ୍ୟରେ ୧୯୭୯ ମସିହାଠାରୁ ପ୍ରତିବର୍ଷ ପ୍ରଦାନ କରାଯାଉଛି।

Share