ବିଷାକ୍ତ ହେଉଛି ମହାନଦୀ, ମିଳୁନି ମାଛ

ମହାକାଳପଡ଼ା,୩୧ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ପାରମ୍ପରିକ ମତ୍ସ୍ୟଜୀବୀମାନେ ପୂର୍ବରୁ ମହାନଦୀ ଓ ଶାଖା ନଦୀଗୁଡ଼ିକରେ ଜାଲ ବସାଇ ବିପୁଳ ଦେଶୀ ମାଛ ମାରି ପରିବାର ପ୍ରତିପୋଷଣ କରୁଥିଲେ। ଏବେ ମହାନଦୀରେ ପାରାଦୀପ ଅଞ୍ଚଳର ଶିଳ୍ପ କାରଖାନାର ବର୍ଜ୍ୟଜଳ ପ୍ରବେଶ ଯୋଗୁ ଦେଶୀମାଛ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ବୋଲି ସ୍ଥାନୀୟ ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି। ମହାନଦୀରେ ବର୍ଷାଦିନେ ଇଲିଶ, ଭେକ୍ଟା (ପୋଟେଇ), ଟାଇଗର (ଚିଙ୍ଗୁଡ଼ି), କଣୀ, ମଧୁର ଜଳ ଗଜା ଚିଙ୍ଗୁଡ଼ି, ଖୁରାଣ୍ଟ ଭଳି ମୂଲ୍ୟବାନ ମାଛ ବହୁ ପରିମାଣରେ ମିଳୁଥିଲା। ନଦୀ ଜଳ ବିଷାକ୍ତ ହେବା ଯୋଗୁ ଏହି ମାଛ ବଂଶ ବା ଯାଆଁଳଗୁଡ଼ିକ ନଷ୍ଟ ହେଉଥିବା କୁହାଯାଇଛି।
ପୂର୍ବରୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଦୈନିକ ଛୋଟ ଡଙ୍ଗାରେ ଜାଲ ବସାଇ ମହାନଦୀ ମୁହାଣଠାରୁ ଚଉମୁହାଣି ୧୫ କିମି ପର୍ଯ୍ୟନ୍ତ ପ୍ରଚୁର ପରିମାଣରେ ମାଛ ଧରୁଥିଲେ। ଦୈନିକ ହାରାହାରି ହଜାରରୁ ୩ ହଜାର ଟଙ୍କା ଲେଖାଏ ରୋଜଗାର କରିଥାନ୍ତି। କିନ୍ତୁ ଏବେ ଦୈନିକ ମଜୁରି ଉଠିବା କଷ୍ଟକର ହେଉଛି ବୋଲି କେତେଜଣ ମତ୍ସ୍ୟଜୀବୀ କହିଛନ୍ତି। ବର୍ଷାଦିନ ଆସିଲେ ସ୍ଥାନୀୟ ଲୋକମାନେ ଗହୀର ପାଟ, ଚାଷ ଜମିହିଡଗୁଡ଼ିକରେ ମୁଗୁରା, ବଜା, ନାଞ୍ଜି ଜାଲ ବସାଇବା ସହ ପୋଳୁହ ମଡାଇ ଭେକ୍ଟା ମାଛ, ଟାଇଗର ଚିଙ୍ଗୁଡି, ଖଏଙ୍ଗା, ଡେମା ଆଦି ଦେଶୀ ମାଛ ଧରୁଥିଲେ। ଏବେ ତାହା ସପ୍ନ ପାଲଟିଛି। ସ୍ଥାନୀୟ ଅଞ୍ଚଳର ବହୁ ପୁରୁଖା ଲୋକ ଦୀନବନ୍ଧୁ ରାଉତ, ଦିବାକର ଗୋଛାୟତ, ହରି ଦାସ କୁହନ୍ତି, ପୂର୍ବରୁ ଧୋଇ ମରୁଡ଼ିରେ ଧାନ ଫସଲ ନଷ୍ଟ ହେଉଥିଲା। ନଦୀ, ସମୁଦ୍ର ମାଛ ହିଁ ସେମାନଙ୍କ ମୁଖ୍ୟ ଭରସା ଥିଲା। ଧାନ ଥୋଡ ବାହାରିବା ପରେ ନଦୀ, ସମୁଦ୍ରରୁ ମାଛମାନେ ଧାନ ଫୁଲ ଖାଇବାକୁ ଚାଷ କ୍ଷେତକୁ ଆସିଥାନ୍ତି। ସ୍ଥାନୀୟ ଲୋକେ ବନିଶୀ କଣ୍ଟା ଓ ଡିଆଁ କରି ସହଜରେ ମାଛ ଧରୁଥିଲେ। ସେତେବେଳେ ଗୋଟେ ଗୋଟେ ଭେକ୍ଟା, ଖଏଙ୍ଗାର ଓଜନ ୫ରୁ ୧୦ କିଲୋ ପର୍ଯ୍ୟନ୍ତ ରହୁଥିଲା। ଏବେ ଏହି ଦେଶୀ ମାଛ ନଦୀ ନାଳରେ ଆଉ ଦେଖିବାକୁ ମିଳୁନାହନ୍ତି।