ଚାଷଜମିରେ ମାଡ଼ିଲା ବିଷାକ୍ତ ତରଳ ପଦାର୍ଥ

ସମ୍ବଲପୁର,୨୨ା୧(ବ୍ୟୁରୋ): ସମ୍ବଲପୁର ଜିଲା ରେଙ୍ଗାଲି ଠେଲକୋଲିସ୍ଥିତ ଜେଏସ୍‌ଡବ୍ଲ୍ୟୁ (ଭୁଷଣ) କମ୍ପାନୀରେ ଗୁରୁବାର ରାତିରେ ଅଘଟଣ ଘଟିଛି। ବାଉଣ୍ଡରି କାନ୍ଥ ଭୁଶୁଡି କାରଖାନାର ସ୍ଲରିପଣ୍ଡରୁ ବିଷାକ୍ତ ଲୌହମିଶ୍ରିତ ତରଳ ପଦାର୍ଥ ନିକଟ ଗ୍ରାମକୁ ମାଡି ଯାଇଥିଲା। ଏହାଦ୍ୱାରା ବ୍ୟାପକ ଚାଷ ଜମି ପ୍ରଭାବିତ ହୋଇଛି। ଘଟଣାରେ ଅର୍ଜୁନ ସିଂ ନାମକ ଜଣେ ସୁରକ୍ଷା କର୍ମୀ ନିଖୋଜ ହୋଇଥିବା ରିପୋର୍ଟ ହୋଇଛି। ଶୁକ୍ରବାର ସକାଳେ ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ଏଡିଏମ୍‌ ଅଜାମ୍ବର ମହାନ୍ତି, ରେଙ୍ଗାଲି ତହସିଲଦାର ଦୟମନ୍ତି ସାହୁ, ଅତିରିକ୍ତ ଏସ୍‌ପି ତପନ କୁମାର ମହାନ୍ତି, ସଦର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ, ରେଙ୍ଗାଲି ଥାନା ଅଧିକାରୀ ଧବଳେଶ୍ୱର ସାହୁ, କମ୍ପାନୀ କର୍ତ୍ତୃପକ୍ଷ, ପ୍ରଭାବିତ ଚାଷୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏଭଳି ଘଟଣା ଆଗକୁ ଯେଭଳି ନ ହେବ ତାହାର ସ୍ଥାୟୀ ସମାଧାନ ସହ ସମସ୍ତ ପ୍ରଭାବିତ ପରିବାରକୁ କ୍ଷତିପୂରଣ ଦେବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜମି ଓ କୁକୁଡା ଫାର୍ମରେ ମାଡିଯାଇଥିବା ତରଳ ଲୁହାକୁ କମ୍ପାନୀ କର୍ମଚାରୀ ଉଠାଇ ନେଇଥିଲେ। ଅନ୍ୟପଟେ କେତେ ପରିମାଣ କ୍ଷତି ହୋଇଛି ଶନିବାର ସୁଦ୍ଧା ରାଜସ୍ବ ବିଭାଗ, ଉଦ୍ୟାନ କୃଷି ଓ ପ୍ରାଣୀଧନ ବିଭାଗ ମିଳିତ ଭାବେ ଆକଳନ କରିବା ପରେ କ୍ଷତିପୂରଣ ଦିଆଯିବ ବୋଲି ପ୍ରଶାସନ ନିର୍ଦ୍ଦେଶ ଦେଇଛି।
ମିଳିଥିବା ସୂଚନା ଅନୁସାରେ ଗୁରୁବାର ରାତିରେ ବାଞ୍ଜିଟିକ୍ରା ପଟରେ ଏହି ଘଟଣା ଘଟିଥିଲା। ସ୍ଲରୀ ପ୍ଲାଣ୍ଟରୁ ବର୍ଷା ଭଳି ପାଣି ନିର୍ଗତ ହୋଇଥିଲା। ପରେ ଳୁହା ଫାଇନ୍ସ ପାଣି ସହିତ ବାଉଣ୍ଡରି କାନ୍ଥ ଦେଇ ବାହାରକୁ ବୋହିଥିଲା। କାର୍ଯ୍ୟରତ ୨ ଜଣ ସୁରକ୍ଷା କର୍ମୀ ଏହା ଜାଣିବା ପରେ ଜଣେ ଜୀବନ ବଞ୍ଚାଇ ପଳାଇଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ହୋଇଯାଇଥିଲେ। ଏହା ଦ୍ୱାରା ପ୍ରାୟ ୨ ଏକର ଚାଷଜମି ସହ କୁକୁଡା ଫାର୍ମ ପ୍ରଭାବିତ ହୋଇଛି। ଗ୍ରାମବାସୀ ବ୍ୟବହାର କରୁଥିବା ୨ ଗୋଟି ପୋଖରୀରେ ମଧ୍ୟ ଏହି ବିଶାକ୍ତ ପଦାର୍ଥ ମିଶିଯାଇଥିଲା। ଘଟଣାସ୍ଥଳରେ ପୋଲିସ ଓ ଗ୍ରାମବାସୀ ପହଞ୍ଚତ୍ଥିଲେ ମଧ୍ୟ ଉଦ୍ଧାର କାର୍ଯ୍ୟ ହୋଇପାରି ନ ଥିଲା। ଏ ସମ୍ପର୍କରେ ଅତିରିକ୍ତ ଏସ୍‌ପି ମହାନ୍ତି କହିଛନ୍ତି, ଘଟଣାର ତଦନ୍ତ କରାଯାଉଛି। ପ୍ରଭାବିତ ପରିବାରଙ୍କୁ କ୍ଷତିପୂରଣ ଦିଆଯିବାକୁ ସ୍ଥିର କରାଯାଇଛି। ସୁରକ୍ଷା କର୍ମୀ ନିଖୋଜ ଥିବା ନେଇ ଏକ ମାମଲା ରୁଜୁ ହୋଇଛି ବୋଲି କହିଥିଲେ।

Share