ପାଟଣା,୭।୧୨(ସ୍ବ.ପ୍ର.): ବିଷାକ୍ତ ମଦ ପିଇ କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ କୁଠାଘର କୁଦରସାହିର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେ ହେଲେ ବିରଞ୍ଚି ମୁଣ୍ଡାଙ୍କ ସ୍ତ୍ରୀ ଗୁରୁବାରୀ(୫୦)।
ବିରଞ୍ଚିଙ୍କ ଅଭିଯୋଗ ଅନୁଯାୟୀ, ରବିବାର ସାରେ ଘର ନିକଟ ନୂଆଗାଁ ସାପ୍ତାହିକ ହାଟରୁ ଗୁରୁବାରୀ ରସି(ହାଣ୍ଡିଆରୁ ପ୍ରସ୍ତୁତ ମଦ) ପିଇ ଆସିବା ପରେ ବାନ୍ତି କରି ଗୁରୁତର ହୋଇପଡ଼ିଥିଲେ। ରାତିରେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସୋମବାର ସକାଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। କେନ୍ଦୁଝରରେ ମୃତଦେହ ବ୍ୟବଚ୍ଛେଦ କରିଥିବା ଡାକ୍ତର ଗୁରୁବାରୀଙ୍କ ବିଷାକ୍ତ ମଦ୍ୟପାନଜନିତ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ବୋଲି ଘଟଗାଁ ଥାନା ଅଧିକାରିଣୀ ପ୍ରତିଭା ସାହୁ କହିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୬୩/୨୧) ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି।