Categories: ଫୁରସତ

ଜହର ହେଲାଣି ସମୁଦ୍ର ପାଣି

ସମୁଦ୍ରରେ ଥିବା ଉଦ୍ଭିଦ, ଜଳଜୀବ ଇତ୍ୟାଦି ସ୍ଥଳଭାଗରେ ବାସକରୁଥିବା ପ୍ରାଣୀଙ୍କ ଜୀବନ ରକ୍ଷାରେ ସହାୟକ ହୋଇଥାନ୍ତି। ଏହାଦ୍ୱାରା ସ୍ଥଳଭାଗ ଏବଂ ଜଳଭାଗ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଇକୋସିଷ୍ଟମ୍‌ ସୃଷ୍ଟି ହୋଇପାରିଥାଏ। ମାତ୍ର ଏବେ ଏଥିରେ ସଂକଟ ଦେଖାଦେଇଛି। ମଣିଷର ଦୂରଦୃଷ୍ଟିହୀନ କାର୍ଯଯୋଗୁ ସମୁଦ୍ର ପାଣିରେ ଜଳଜୀବ ବଞ୍ଚି ରହିବା କଷ୍ଟକର ହେଉଛି। ସମୁଦ୍ରରେ ଲଗାତର ବର୍ଜ୍ୟବସ୍ତୁ ଠୁଳ କରାଚାଲିଛି। ଫଳରେ ଏବେ ସମୁଦ୍ର ବର୍ଜ୍ୟବସ୍ତୁର ଗନ୍ତାଘର ପାଲଟିଛି। ଏଥିଯୋଗୁ ସମୁଦ୍ରରେ ବାସ କରୁଥିବା ବହୁ ଜଳଜୀବ ଏବଂ ଉଦ୍ଭିଦ ପ୍ରଜାତି ଲୋପ ପାଇବାରେ ଲାଗିଛନ୍ତି। ଏଭଳି ପ୍ରଜାତିଙ୍କ ଉପରେ ଖାଦ୍ୟ ଅବା ଅମ୍ଳଜାନ ପାଇଁ ନିର୍ଭର କରୁଥିବା ଅନ୍ୟ ପ୍ରଜାତିଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବା ଯୋଗୁ ତାଙ୍କର ସଂଖ୍ୟା ମଧ୍ୟ କମି ଚାଲିଛି। ଶିଳ୍ପ ସଂସ୍ଥାଗୁଡ଼ିକର ନିର୍ଗତ ତରଳ ରାସାୟନିକ ପଦାର୍ଥ ସମୁଦ୍ରରେ ବେଧଡକ ଛଡାଯାଉଥିବାରୁ ସେଠାକାର ଜଳ ଜହର ପାଲଟିବାରେ ଲାଗିଛି। ଏହାଯୋଗୁ ତିମି, ଶାର୍କ, ଡଲ୍‌ଫିନ୍‌, କଇଁଛ ଆଦି ବହୁ ପ୍ରାଣୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ସବୁଜ ପୃଥିବୀରେ ମଣିଷ ବଞ୍ଚି ରହିବା ପାଇଁ ସାମୁଦ୍ରିକ ପ୍ରାଣୀ ଏବଂ ସମୁଦ୍ର ଇକୋସିଷ୍ଟମ ଅତି ଗୁରୁତ୍ୱପୂର୍ଣ୍ଣ। ତେଣୁ ‘ଧରିତ୍ରୀ ଦିବସ’ରେ ଆମେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରାଇବା ଜରୁରୀ।

Share