ମସଲାରେ ମିଶାଯାଉଥିଲା ପୋକରା ଚାଉଳ, କେମିକାଲ: କାରଖାନା ସିଲ୍‌, ମାଲିକ ଅଟକ

କଟକ ସଦର, ୨୦।୨(ଡି.ଏନ୍‌.ଏ.): କଟକ ଜିଲା ୪୨ ମୌଜା ଥାନା ଅନ୍ତର୍ଗତ ଦିବାଟିଠାରେ ଥିବା ଏକ ଅପମିଶ୍ରିତ ମସଲା କାରଖାନା ଶନିବାର ଠାବ କରାଯାଇଛି। ସ୍ଥାନୀୟ ପୋଲିସ ଓ କଟକ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ୫ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଅପମିଶ୍ରିତ ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ମକା, ଧନିଆ, ଜିରାଗୁଣ୍ଡ ସହ କଞ୍ଚାମାଲ ଓ ଯନ୍ତ୍ରାଂଶ ଜବତ କରାଯାଇଛି। ଏହାପରେ କାରଖାନାକୁ ସିଲ୍‌ କରାଯିବା ସହ ୪୨ ମୌଜା ଥାନାରେ ଏକ ମାମଲା(ନଂ.୨୭/୨୨) ରୁଜୁ ହୋଇଛି। ଏହି ଘଟଣାରେ କାରଖାନା ମାଲିକ କଟକ ମଧୁପାଟଣା ଥାନା ଅନ୍ତର୍ଗତ କାଜିଡିହ ଗ୍ରାମର ଅଜୟ ଦାସ(୫୦)ଙ୍କୁ ପଚରାଉଚରା କରାଯାଉଥିବା ଥାନାଧିକାରୀ ଅନିତା ସାହୁ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ୨୦୧୪ରୁ ଅଜୟ ଉକ୍ତ କାରଖାନା ଖୋଲି ବ୍ୟବସାୟ କରିଆସୁଥିଲେ। ସେଠାରେ ବିଭିନ୍ନ ମସଲାକୁ ଅପମିଶ୍ରଣ କରାଯିବା ପରେ ପ୍ୟାକିଂ କରି ବିକ୍ରି ପାଇଁ ପଠାଯାଉଥିଲା। ଏ ସମ୍ପର୍କରେ ଖବର ମିଳିବା ପରେ ସନ୍ଧ୍ୟାରେ ଏସିପି ଚନ୍ଦନ ଘଡେଇ, କଟକ ଖାଦ୍ୟ ନିରାପତ୍ତା ଅଧିକାରୀ ରାକେଶ କୁମାର ସାହୁ ଓ ଥାନାଧିକାରୀ ସାହୁଙ୍କ ସମେତ ପୋଲିସ ଟିମ୍‌ ସେଠାରେ ଚଢ଼ାଉ କରିଥିଲା। ଯାଞ୍ଚବେଳେ ସେଠାରେ ପୋକରା ଚାଉଳ ଓ କେମିକାଲ ଗୁଣ୍ଡ ମିଶାଯାଇ ଲଙ୍କା, ହଳଦୀ, ଜିରାଗୁଣ୍ଡ ପ୍ରସ୍ତୁତ ହେଉଥିବା ଜଣାପଡିଥିଲା। ହେଲେ ଏହି ସାମଗ୍ରୀ କେଉଁ ସ୍ଥାନକୁ ପଠାଯାଉଥିଲା ସେ ବିଷୟରେ ଜାଣିବା ପାଇଁ ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି। ଏଥିସହ ଜବତ ସାମଗ୍ରୀର ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଲାବରେଟୋରିକୁ ପଠାଯିବ ବୋଲି ଏସିପି ଘଡେଇ କହିଛନ୍ତି।

ସୂଚନାଯୋଗ୍ୟ, ଗତ କିଛି ମାସ ମଧ୍ୟରେ କଟକ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ନକଲି ସିମେଣ୍ଟ, ଜର୍ଦ୍ଦା, ଅପମିଶ୍ରିତ ସସ୍‌, ମସଲା, ଘିଅ ଓ ତେଲ କାରଖାନା ଠାବ କରାଯାଇଛି। ସେଠାରୁ ବିପୁଳ ପରିମାଣର ନକଲି ଓ ଅପମିଶ୍ରିତ ସାମଗ୍ରୀ ମଧ୍ୟ ଜବତ ହୋଇଛି। କେତେକ ଘଟଣାରେ କାରଖାନା ମାଲିକଙ୍କୁ ଗିରଫ କରାଯାଇଛି। କାରଖାନା ମାଲିକମାନେ ଅଧିକ ଲାଭ ଆଶାରେ ଅପମିଶ୍ରିତ ସାମଗ୍ରୀ ବିକ୍ରି କରି ଲାଭବାନ୍‌ ହେଉଥିବାବେଳେ ଲୋକମାନେ ଏହାକୁ ଖାଇ ରୋଗରେ ପଡୁଛନ୍ତି। ହେଲେ ପୋଲିସ ଏହି ବେଆଇନ କାରବାରକୁ ସମ୍ପୂର୍ଣ୍ଣ ରୋକିବାରେ ବିଫଳ ହେଉଛି।

Share