କ୍ୱିଭ,୫।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୦ ଦିନରେ ପହଞ୍ଚିଛି। ୨ଦେଶ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ହୋଇଥିବା ବେଳେ କୌଣସି ନିଷ୍କର୍ସ ବାହାରିପାରିନାହିଁ। ଉଭୟ ପାର୍ଶ୍ୱରୁ ବ୍ୟାପକ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଇତିମଧ୍ୟରେ ୟୁକ୍ରେନ ସୀମାରୁ ଜଣେ ରୁଷିଆ ଗୁପ୍ତଚରଙ୍କୁ ଗିରଫ କରାଯାଇଛି। ସେ ନିଜକୁ ସାମ୍ବାଦିକ ଭାବେ ଦର୍ଶାଇ ପ୍ରଜେମାଇଲ୍ସରେ ସକ୍ରିୟ ଥିଲେ ଏବଂ ସେଠାରେ କିଛି ଗୁପ୍ତ ଅପରେଶନ ଚଳାଉଥିଲେ ବୋଲି କୁହାଯାଉଛି। ତେବେ ତାଙ୍କୁ ଏହି ମାମଲାରେ ୧୦ ବର୍ଷ ଯାଏ ଦଣ୍ଡାଦେଶ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ଏହି ଗୁପ୍ତଚର ସେଠାରେ କେଉଁ କାମ କରୁଥିଲା, ତାଙ୍କର ଉଦ୍ଦେଶ୍ୟ କ’ଣ ଥିଲା, ସେନେଇ ଅଧିକ ସୂଚନା ମିଳିପାରିନାହିଁ। କିନ୍ତୁ ତାଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ। ସୂଚନାଯୋଗ୍ୟ, ଯୁଦ୍ଧର ୧୦ଦିନରେ ବି ଦୁଇ ଦେଶ ମଧ୍ୟରେ ଭୟଙ୍କର ଆକ୍ରମଣ ଚାଲିଛି। ଏଭଳିି ପରିସ୍ଥିତିରେ ଜଣେ ଗୁପ୍ତଚର ଧରାପଡ଼ିବା ଏହା ଏକ ବଡ଼ କାର୍ଯ୍ୟାନୁଷ୍ଠାନ। ତାଙ୍କ ନିକଟରୁ ଅଧିକ ସୂଚନା ମିଳିପାରେ ଯାହା ଯୁଦ୍ଧର ଦିଗକୁ ପରିବର୍ତ୍ତନ କରିପାରେ ବୋଲି କୁହାଯାଉଛି।