ତେଜିଲା ପୋଲାଭରମ୍‌ ରାଜନୀତି

ମାଲକାନଗିରି,୭ା୮(ଦୁର୍ଯ୍ୟୋଧନ ପାତ୍ର): ଆନ୍ଧ୍ରପ୍ରଦେଶର ପୋଲାଭରମ୍‌ ପ୍ରକଳ୍ପକୁ ନେଇ ରାଜନୀତି ସରଗରମ୍‌ ହେବାରେ ଲାଗିଛି। ଏହି ପ୍ରକଳ୍ପ ପାଇଁ ମାଲକାନଗିରି ଜିଲାର ୧୦୦ରୁ ଊର୍ଦ୍ଧ୍ୱ ଗଁା ଜଳମଗ୍ନ ହେବାର ଆଶଙ୍କା କରାଯାଉଛି। ଏହାକୁ ଦେଖି ବିଭିନ୍ନ ସଙ୍ଗଠନ ପକ୍ଷରୁ ପୋଲାଭରମ୍‌ ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ଲୋକଙ୍କୁ ଚିହ୍ନଟ ସହ କ୍ଷତିପୂରଣ ପାଇଁ ଦାବି ଜୋର୍‌ ଧରିଛି। ଏସବୁ ଭିତରେ ପୋଲାଭରମ୍‌କୁ ନେଇ ବିଜେଡିର ଏକ ପ୍ରତିନିଧି ଦଳ ଏହାର ସମୀକ୍ଷା କରିବେ ବୋଲି ଜଣାପଡିଛି। ପୋଲାଭରମ ପ୍ରକଳ୍ପକୁ ନେଇ ମାଲକାନଗିରିବାସୀ ଚିନ୍ତାରେ ରହିଛନ୍ତି। ଏହି ବିବାଦୀୟ ପ୍ରକଳ୍ପକୁ ନେଇ ଓଡ଼ିଶା ସମେତ ଛତିଶଗଡ଼ ଓ ତେଲଙ୍ଗାନା ବିରୋଧ ଜାରି ରଖିଥିବା ବେଳେ ଆନ୍ଧ୍ର ସରକାର ଏକତରଫା ପ୍ରକଳ୍ପ କାର୍ଯ୍ୟକୁ ତରାନ୍ବିତ କରିଛନ୍ତି। ଏଥିଯୋଗୁ ବିଭିନ୍ନ ନଦୀର ଜଳ ନିଷ୍କାସନ ହୋଇ ନ ପାରି ମାଲକାନଗିରି ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଗତବର୍ଷ ମଧ୍ୟ ବନ୍ୟା ଦ୍ୱାରା ଅନେକ ଗଁା କ୍ଷତିଗ୍ରସ୍ତ ହୋଇ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିଲା। ଅନେକ ହଜାର ହେକ୍ଟର ଜମିରେ ପାଣି ମାଡି ଫସଲ ନଷ୍ଟ ହୋଇଯାଇଥିଲା। ପ୍ରତିବର୍ଷ ଗୋଦାବରୀ ନଦୀର ପଛୁଆ ପାଣି ଯୋଗୁ ସୀମାନ୍ତ ମୋଟୁ ଅଞ୍ଚଳ ବୁଡ଼ି ରହୁଛି। ସେହିପରି ସିଲେରୁ ଓ ସାବେରୀ ନଦୀରେ ଆସୁଥିବା ବନ୍ୟାଜଳ ନିଷ୍କାସନ ନ ହୋଇ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ଉପୁଜୁଥିବା ଅଭିଯୋଗ ହେଉଛି ।
ଏହି ପ୍ରକଳ୍ପ ହେଲେ ମାଲକାନଗିରି ଜିଲା ମୋଟୁ, ପୁଶୁଗୁଡା, ତାଣ୍ଡବାଇ, ମାଲାଭରମ୍‌, ଟେଲରାଇ, ଲୋକନଗୁଡା, ମୁରଲୀଗୁଡ଼ା, କୋତାଗୁଡ଼ା, କମଳାପୁରମ୍‌, ବିନାୟକପୁର, ଆଲମା, ବାରିବାଞ୍ଛା, ଇଚ୍ଛାପୁରମ୍‌, ପରସନପାଲୀ, ମାକନପାଲୀ, ଗାରସାପାଲୀ, ରାମଭରମ୍‌, ସୁନାବେଡା, ପେଟା, ସିମିଳିବାଞ୍ଛା ପଞ୍ଚାୟତର ଗୋରଖପାଲୀ, ପୁଟମପା, ଏମ୍‌ଭି-୬୦, ଏମ୍‌ଭି-୬୧, ଏମଭି-୬୯, ଏମଭି୧୧୦, ଏମଭି-୧୧୬, ଏମଭି-୬୨, କାଲଦାପାଲୀ ଓ ପଡିଆ ସହ କାଲିମେଳା ବ୍ଲକର ମାଲାଭରମ୍‌ ପଞ୍ଚାୟତର ଅନେକ ଗଁା ବୁଡ଼ିଯିବ। ଓଡ଼ିଶା, ଛତିଶଗଡ଼ ଓ ତେଲଙ୍ଗାନାର ୨୫୦ରୁ ଊଦ୍ଧର୍‌ବ ଗ୍ରାମ ପାଣିରେ ବୁଡିଯିବାର ଆଶଙ୍କା ଥିବାବେଳେ ୭,୬୫୬ ହେକ୍ଟର ଜମିରେ ପାଣି ପଶିବା ସହ ୫,୫୩୮ ହେକ୍ଟର ସଂରକ୍ଷିତ ଜଙ୍ଗଲ ଜମି ପାଣିରେ ବୁଡିବ ବୋଲି ଅନୁମାନ କରାଯାଉଛି।

Share