ସର୍ଭେରେ ସୀମିତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ପୋଲ ନିର୍ମାଣ

ନବରଙ୍ଗପୁର,୨୯।୧୦(ସଦାଶିବ ପ୍ରହରାଜ)ନବରଙ୍ଗପୁର ଓ ରାୟଗଡ଼ା ଜିଲା ସହ ଗମନାଗମନର ସୁଗମ କରିବା ପାଇଁ ରାଜ୍ୟ ସରକାର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଏକ ସେତୁ ନିର୍ମାଣ କରିବା ପାଇଁ ଘୋଷଣା କରିଥିଲେ। ଘୋଷଣାକୁ ୩ ବର୍ଷ ବିତିଗଲାଣି। ଏ ପର୍ଯ୍ୟନ୍ତ ସେତୁ କାମ ସର୍ଭେ ମଧ୍ୟରେ ସୀମିତ ହୋଇ ରହିଛି। ଅନ୍ୟପଟେ ଜଳଭଣ୍ଡାର ଆରପଟେ ଥିବା ଗ୍ରାମବାସୀ ଚିରାଚରିତ ଭାବେ ଦେଶୀ ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ପ୍ରକାର ନିରାଶା ଦେଖିବାକୁ ମିଳିଛି।
ଇନ୍ଦ୍ରାବତୀ ଜଳଭଣ୍ଡାର ହେବା ପୂର୍ବରୁ ନବରଙ୍ଗପୁର ଜିଲାର ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି ବ୍ଲକବାସୀଙ୍କ ସହିତ ରାୟଗଡ଼ା ଓ କୋରାପୁଟ ଲୋକଙ୍କ ସହ ସାମାଜିକ ଓ ସାଂସ୍କୃତିକ ସମ୍ପର୍କ ଯୋଡ଼ିହୋଇଥିଲା। ଇନ୍ଦ୍ରାବତୀ ଜଳଭଣ୍ଡାର ନିର୍ମାଣ ହେବା ପରେ କ୍ରମଶଃ ଯୋଗାଯୋଗ ବନ୍ଦ ହେବାରେ ଲାଗିଲା। ଦୀର୍ଘ ବର୍ଷ ପରେ ରାଜ୍ୟ ସରକାର ନବରଙ୍ଗପୁର ଓ ରାୟଗଡ଼ା ଜିଲା ମଧ୍ୟରେ ଯାତାୟାତକୁ ସୁଗମ କରିବା ପାଇଁ ୨୦୨୦ ସେପ୍ଟେମ୍ବରରେ ମଞ୍ଚାଗାଁ ପଞ୍ଚାୟତ କେନ୍ଦୁଗୁଡା ଡଙ୍ଗାଘାଟରେ ଏକ ଉଚ୍ଚା ପୋଲ ନିର୍ମାଣ କରିବା ପାଇଁ ଘୋଷଣା କରିଥିଲେ। ବିଜୁ ସେତୁ ଯୋଜନାରେ ପ୍ରାୟ ୫୦୦ ମିଟରରୁ ଅଧିକ ଦୈର୍ଘ୍ୟ ବିଶିଷ୍ଟ ଏକ ଉଚ୍ଚା ପୋଲ ନିର୍ମାଣ ହେବ। ଘାଟରୁ ପୁଣି ୫ କି.ମି. ପକ୍କା ରାସ୍ତା ନିର୍ମାଣ ହୋଇ ଗିରିଲିଗୁମ୍ମାକୁ ସଂଯୋଗ କରିବ। ଏହି ସେତୁ କାମ ପୂର୍ତ୍ତ ବିଭାଗ କରିବା ପାଇଁ ଦାୟିତ୍ୱ ଦିଆଯାଇଛି। ଯେଉଁ ଅଞ୍ଚଳରେ ଜଳଭଣ୍ଡାରର ସେତୁ ନିର୍ମାଣ ହେବ ସେଠାରେ ପ୍ରାୟ ୪୩ ମିଟରରୁ ଊର୍ଦ୍ଧ୍ୱ ଜଳର ଗଭୀରତା ରହିଛି। ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୧୬୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ତେବେ ଏ ପର୍ଯ୍ୟନ୍ତ ସର୍ଭେ କାମ ସମ୍ପୂର୍ଣ୍ଣ ହୋଇନାହିଁ କି ବ୍ୟୟ ଅଟକଳ ହୋଇପାରିନାହିଁ। ଏ ନେଇ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ।
ଏହି ପୋଲ ନିର୍ମାଣ ହେଲେ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଦୁଃଖ ଦୂର ହେବା ସହ ବିପଦପୂର୍ଣ୍ଣ ନୌଯାତ୍ରା ଜୀବନଶୈଳୀରୁ ନିସ୍ତାର ମିଳିପାରନ୍ତା। ନବରଙ୍ଗପୁରରୁ ରାୟଗଡ଼ାକୁ ୭୦ କି.ମି. ଓ ଖାତିଗୁଡାରୁ ରାୟଗଡ଼ାକୁ ୧୦୫ କି.ମି. ଦୂରତା କମିବ। ନବରଙ୍ଗପୁର ସହରରୁ ଜୟପୁର-କୋରାପୁଟ ଦେଇ ରାୟଗଡା ପ୍ରାୟ ୧୭୫ କି.ମ.ି ପଡୁଛି। ପୋଲ ନିର୍ମାଣ ହେଲେ ବ୍ୟବସାୟିକ କ୍ଷେତ୍ରରେ ବିକାଶ ଘଟିପାରନ୍ତା। ଇନ୍ଦ୍ରାବତୀ ଜଳଭଣ୍ଡାର ନିର୍ମାଣ ପରେ ମଞ୍ଚାଗାଁ ପଞ୍ଚାୟତର ୬ ଖଣ୍ଡ ଗାଁ ସମେତ କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକର ବହୁ ଗାଁ ଏବେ ବି ଦୈନନ୍ଦିନ କାର୍ଯ୍ୟ ପାଇଁ କେନ୍ଦୁଗୁଡା ନଦୀଘାଟର ଦେଶୀଡଙ୍ଗା ଦେଇ ତେନ୍ତୁଳିଖୁଣ୍ଟି ଓ ଖାତିଗୁଡା ଆସୁଛନ୍ତି। ଏହି ପୋଲ ନିର୍ମାଣ ପାଇଁ ବିଭିନ୍ନ ମହଲରେ ଦାବି ଉଠୁଥିବା ସହ ଯେତେ ବିଳମ୍ବ ହେଉଛି ସେହି ଅନୁପାତରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ନିରାଶ ବଢୁଛି।

Share