ଗୋଟିଏ ପୋଲ: ୨ ଥର ଶିଳାନ୍ୟାସ

ଲଙ୍ଗଳେଶ୍ୱର,୫।୧୨(କମଳାକାନ୍ତ ଦାସ): ଗୋଟିଏ ପୋଲକୁ ଦୁଇଥର ଶିଳାନ୍ୟାସ। ସକାଳେ ବିଧାୟକ ଏବଂ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହି ଗୋଟିଏ ଜାଗାରେ ଫଳକ ଶିଳାନ୍ୟାସ କରିଥିବା ବେଳେ ସନ୍ଧ୍ୟାରେ ସେହି ଫଳକକୁ ନେଇ ପଞ୍ଚାୟତର ଅନ୍ୟ ଏକ ସ୍ଥାନରେ ଫିତା କାଟି ଶିଳାନ୍ୟାସ କରିଛନ୍ତି ପଞ୍ଚାୟତବାସୀ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ବାଲିଆପାଳ ବ୍ଲକ ଅଧୀନ ବୋଳଂ ପଞ୍ଚାୟତ ଦେଇଯାଇଥିବା ଓଡ଼ିଶା କୋଷ୍ଟ କେନାଲ ଉପରେ ଏକ ପାଦଚଲା ପୋଲ ନିର୍ମାଣ ପାଇଁ ଦୀର୍ଘବର୍ଷ ଧରି ଅଞ୍ଚଳବାସୀ ଦାବି କରି ଆସୁଥିଲେ। ସେମାନଙ୍କର ଚାଷଜମିକୁ ଯିବା ପାଇଁ କୋଷ୍ଟ କେନାଲ ପ୍ରତିବନ୍ଧକ ସାଜୁଥିବା ବେଳେ ଅଞ୍ଚଳବାସୀ ଯାତାୟାତ ପାଇଁ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ବାଉଁଶ ପୋଲରେ ବିପଦପୂର୍ଣ୍ଣ ଭାବେ ଗ୍ରାମବାସୀ ଦୀର୍ଘବର୍ଷ ଧରି ଯିବାଆସିବା କରୁଥିଲେ। ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ଓଡ଼ିଶା କୋଷ୍ଟକେନାଲ ଉପରେ ଜଳସମ୍ପଦ ବିଭାଗ ପକ୍ଷରୁ ୪୩ଲକ୍ଷ ୮୦ହଜାର ୪୬୪ ଟଙ୍କା ବ୍ୟୟ ଅଟକଳରେ ଏକ ପାଦ ଚଲା ପୋଲ ନିର୍ମାଣ ପାଇଁ ସୋମବାର ସକାଳେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ଏବଂ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ମହେଶ୍ୱର ସିଂଙ୍କ ସମେତ ସରପଞ୍ଚ, ସମିତିସଭ୍ୟଙ୍କ ଉପସ୍ଥିତିରେ ଫିତା କାଟି ଶିଳାନ୍ୟାସ କରିଥିଲେ। ତେବେ ଫଳକରେ ଶିଳାନ୍ୟାସ ତାରିଖ ୧ଥିବା ବେଳେ ୪ ତାରିଖରେ କାହିଁକି ଶିଳାନ୍ୟାସ ହେଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶିଳାନ୍ୟାସର କିଛି ସମୟ ପରେ ପୋଲ ନିର୍ମାଣ ପାଇଁ ଟେଣ୍ଡର ନେଇଥିବା ଠିକାଦାର ଜଣକ ଫଳକକୁ ସେଠାରୁ ଓପାଡ଼ି ଗାଡିରେ ନେଇଯାଉଥିବା ବେଳେ କିଛି ଗ୍ରାମବାସୀ ଦେଖି ଠିକାଦାରଙ୍କ ଗାଡ଼ିକୁ ଅଟକାଇବା ସହ ଫଳକ କୁଆଡ଼େ ନେଇ ଯାଉଛ ବୋଲି ପଚାରିବାରୁ ଠିକାଦାର ଜଣକ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଯାହାକୁ ନେଇ ଗ୍ରାମବାସୀ ଏବଂ ଠିକାଦାରଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ଗ୍ରାମବାସୀ ଠିକାଦାରଙ୍କ ଗାଡ଼ି ଆଗରେ ଶୋଇ ପଡ଼ିଥିଲେ। ଫଳରେ ଠିକାଦାର ଜଣକ ଶିଳାନ୍ୟାସ ଫଳକଟିକୁ ସେଠାରେ ଛାଡ଼ି ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହାପରେ ଗ୍ରାମବାସୀ ମିଳିତ ହୋଇ ଫଳକକୁ ନେଇ ସେମାନେ ଯେଉଁ ସ୍ଥାନରେ ପୋଲ ନିର୍ମାଣ ପାଇଁ ଦାବି କରୁଥିଲେ, ସେହି ସ୍ଥାନରେ ନେଇ ସନ୍ଧ୍ୟାରେ ଫଳକକୁ ଲଗାଇବା ସହ ପୂଜାର୍ଚ୍ଚନା କରିବା ପରେ ନଡ଼ିଆ ବାଡ଼େଇ ଏବଂ ଫିତା କାଟି ଗ୍ରାମବାସୀଙ୍କ ଉପସ୍ଥିତିରେ ପୁଣି ଥରେ ଶିଳାନ୍ୟାସ କରିଥିଲେ। ତେବେ ଗ୍ରାମବାସୀ ଗୋଟିଏ ସ୍ଥାନରେ ପୋଲ ନିର୍ମାଣ ପାଇଁ ଦାବି କରି ଆସୁଥିବା ବେଳେ ବିଧାୟକ ଏବଂ ସରପଞ୍ଚ ଅନ୍ୟ ସ୍ଥାନରେ ଅନାବଶ୍ୟକ ଜାଗାରେ ପୋଲ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଗୋଟିଏ ଫଳକକୁ ସକାଳେ ବିଧାୟକ ଏବଂ ସନ୍ଧ୍ୟାରେ ଗ୍ରାମବାସୀ ଶିଳାନ୍ୟାସ କରିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।