ପୋଲ, ଜମିରେ ଚାଲିଛି ବର୍ଷାପାଣି

ନନ୍ଦପୁର, ୧୩।୯(ଶଙ୍କର ପୂଜାରୀ); ଲଘୁଚାପ ଯୋଗୁ ଲଗାଣବର୍ଷାରେ କୋରାପୁଟ ଜିଲା ନନ୍ଦାହାଣ୍ଡି ବ୍ଲକରେ ରାସ୍ତାଘାଟରେ ପାଣି ଯାତାୟାତକୁ ପ୍ରଭାବିତ କରିଛି। ଘର ଓ ଦାଣ୍ଡରେ ବର୍ଷାପାଣି ପଶି ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। ଚାଷଜମି ଜଳାର୍ଣ୍ଣବ ହୋଇ ଫସଲ ନଷ୍ଟହେବା ଆଶଙ୍କା ରହିଛି।
ସୂଚନା ମୁତାବକ ମଙ୍ଗଳବାର ସକାଳ ୮ଟା ସୁଦ୍ଧା କୋରାପୁଟ ଜିଲାରେ ୯୦୦ ମି.ମି.ରୁ ଊର୍ଦ୍ଧ୍ୱ ବର୍ଷା ରେକର୍ଡ କରାଯାଇଛି। ସକାଳୁ ଜାରି ରହିଥିବା ଲଗାଣ ବର୍ଷାରେ ନନ୍ଦପୁର ବ୍ଲକର ପାନ୍ଥଲୁଙ୍ଗ, ଚାଟୁଆ, ଗୋଲୁର, କୁଲାରସିଂ, ପରଜା ବଡ଼ପଡ଼ା, ମାଳି ବେଲଗାଁ, କସନ୍ଦି, ରାଇସିଙ୍ଗ, ବିଲାପୁଟ, ଭେଜା, ଖୁର୍ଜି ଆଦି ପଞ୍ଚାୟତ ରାସ୍ତାର ପୋଲ ଉପରେ ପାଣି ପ୍ରବାହିତ ହୋଇ ଲୋକଙ୍କ ଯିବାଆସିବାରେ ଅସୁବିଧା ହେଉଛି। ଧାନ, ମାଣ୍ଡିଆ କ୍ଷେତରେ ଅଣ୍ଟାଏ ପାଣି। କ୍ଷେତରେ ବାଲି ଚରି ଚାଷ ନଷ୍ଟହେବା ଆଶଙ୍କା କରିଛନ୍ତି ଚାଷୀ। ଏକାଧିକ ଗ୍ରାମରେ ଘର ଭିତର ଓ ଦାଣ୍ଡରେ ପାଣି ପଶି ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି। ମାଟିକାନ୍ଥ ବିଶିଷ୍ଟ ଘର ଭାଙ୍ଗି ଭୁଶୁଡ଼ିଯିବା ଆଶଙ୍କା ରହିଛି। ସମସ୍ତ ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ପଞ୍ଚାୟତ, ବ୍ଲକ, ରାଜସ୍ବ, ଅଗ୍ନିଶମ, କୃଷି, ଗ୍ରାମ୍ୟ ଜଳଯୋଗାଣ, ଯୋଗାଣ ଓ ପୋଲିସ ବିଭାଗ ପ୍ରସ୍ତୁତ ଥିବା ନନ୍ଦପୁର ବିଡିଓ ସୁଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି।

Share