୧୫ ଲକ୍ଷର ପୋଲ ଧୋଇଗଲା

ଉଦଳା,୨୨।୭(ସନ୍ତୋଷ କୁମାର ବାଚ୍ଛିନୀ): ୧୫ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ତିଆରି ହୋଇଥିବା ଅସ୍ଥାୟୀ ପୋଲ ୧୫ ମାସ ବି ଗଲାନି। ନଦୀରେ ଅଳ୍ପ ପାଣି ଆସିବାରୁ ପୋଲ ଧୋଇଗଲା। ଉଦଳା-ବାଲେଶ୍ୱର ରାଜ୍ୟ ରାଜପଥର କଇଁସାରୀଠାରେ ଥିବା ଜାମୁଘାଟ ଅସ୍ଥାୟୀ ପୋଲ ଗୁରୁବାର ବିଳମ୍ବିତ ରାତିରେ ସାମାନ୍ୟ ନଦୀ ପାଣିରେ ଧୋଇ ହୋଇଯାଇଛି। ଫଳରେ ଉଦଳା ଓ ବାଲେଶ୍ୱର ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି।
ପ୍ରକାଶ ଯେ, ଜାମୁଘାଟର ପୁରାତନ ପୋଲରେ ଫାଟ ସହ ଦବିଯିବା ପରେ ଗାଡ଼ି ଚଳାଚଳ ବନ୍ଦ କରାଯାଇଥିଲା। ବିପଦସଙ୍କୁଳ ବୋଲି ଲେଖାଯାଇ ଉକ୍ତ ପୋଲଠାରୁ ତଳେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା। ମାତ୍ର ସେହି ପୋଲ ନଦୀରେ ଅଳ୍ପ ପାଣି ଆସିଥିବା ବେଳେ ସେଥିରେ ଧୋଇ ହୋଇଯାଇଛି। ଯାହାଦ୍ୱାରା ପୂର୍ତ୍ତ ବିଭାଗ ଉନ୍ନୟନ କାମରେ ଜାଲିଆତି ଘଟଣା ପଦାକୁ ଆସିଛି ବୋଲି ଚର୍ଚ୍ଚା ହେଉଛି। ଏହି ଅସ୍ଥାୟୀ ପୋଲ ନିମନ୍ତେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କେବଳ ମାଟି ଉପରେ ବଜୁରି ଗୁଣ୍ଡ ପକାଇ ରାସ୍ତା କରାଯାଇଥିଲା। ପୋଲଟି କଂକ୍ରିଟରେ ତିଆରି ହୋଇଥିଲେ ତାହା ଧୋଇ ହୋଇ ନ ଥାନ୍ତା। ନିମ୍ନମାନର କାମ କରାଯାଇ ପୋଲ କାମ ଆଳରେ ଟଙ୍କା ହଡ଼ପ କରାଯାଇଥିବା ସାଧାରଣରେ କୁହାଯାଉଛି। ମାତ୍ର ୩ ମାସ ମଧ୍ୟରେ ପୋଲ ଧୋଇଯିବା ବାବଦରେ ବିଭାଗୀୟ ଏସ୍‌ଡିଓ ଦାମୋଦର ପ୍ରଧାନ କହିଛନ୍ତି, ଉକ୍ତ ଅସ୍ଥାୟୀ ପୋଲଟି ଖରାଟିଆ ପୋଲ। ଏଣୁ ବର୍ଷା ସମୟରେ ତାହା ଧୋଇଗଲା ତ ଅସୁବିଧା କ’ଣ ହୋଇଗଲା।

Share