ବନ୍ୟାଜଳରେ ଧୋଇଗଲା ପୋଲ

କୋକସରା,୧୭ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଓ ବରାଡ଼ଙ୍ଗା ପଞ୍ଚାୟତର ଉପାନ୍ତ ଅଞ୍ଚଳରେ ରହିଛି ଅନେକ ଆଦିବାସୀ ଅଧ୍ୟୁଷିତ ଗ୍ରାମ। ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି ଆମପାଣି ପଞ୍ଚାୟତର ଟର୍ଲିଆମ ଓ ବରାଡ଼ଙ୍ଗା ପଞ୍ଚାୟତର ଗାଈବନ୍ଧା, ସାଇକେଲ, ବରଗଛ ଭଳି ଗାଁ। ତେବେ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଥିବା ଏହି ଗାଁଗୁଡିକୁ ପକ୍କା ରାସ୍ତା ନାହିଁ। ବର୍ଷା ଦିନ ଆସିଲେ ଏହି ବନବାସୀଙ୍କ ଦୁଃଖ ବଢିଯାଏ।

ପଞ୍ଚାୟତକୁ ପିଡ଼ିଏସ୍‌ ସାମଗ୍ରୀ ହେଉ, ଦୋକାନ ବଜାର, ଛାତ୍ରୀଛାତ୍ରଙ୍କ ପାଠପଢା ପାଇଁ ଆମପାଣି କିମ୍ବା କୋକସରା ବ୍ଲକକୁ ନିତି ଆସିବାକୁ ପଡେ। ବର୍ଷା ଦିନରେ ବାଟରେ ପଡୁଥିବା ନାଳାରେ ଜଳ ପ୍ରବାହିତ ହେଉଥିବା କାରଣରୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ଅଭିଯୋଗ କରିଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ୨୦୨୩ରେ ଏହି ନାଲା ଉପରେ ୫ଲକ୍ଷ ଟଙ୍କା ଅନୁଦାନରେ ଏକ ପୋଲ ନିର୍ମାଣ କରାଯାଇଥିଲା। ତେବେ ଠିକାଦାର ଜଣକ ପୋଲ ଉପରେ କଂକ୍ରିଟ କାମ ନ କରି ମେଟାଲ, ମୋରମ ପକାଇ କାମ ସାରି ଦେଇଥିବା ଜଣାପଡିଛି। ଏଣୁ ଚଳିତବର୍ଷ ପ୍ରଥମ ବନ୍ୟାଜଳରେ ପୋଲ ଉପର ରାସ୍ତା ଧୋଇଯାଇଛି। ଫଳରେ ଲୋକେ ଯାତାୟାତ କରିବାରେ ଅସୁବିଧା ଭୋଗୁଛନ୍ତି। ଏ ନେଇ କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝିଙ୍କୁ ପଚାରିବାରୁ ଆସନ୍ତା ଆକ୍ସନ ପ୍ଲାନରେ ଏହି ପୋଲ ନିର୍ମାଣ ପାଇଁ ଅନୁଦାନ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି।