ଭଦ୍ରକ ଅଫିସ, ୧୪।୧୧-ଭଦ୍ରକ ସହର ଉପକଣ୍ଠ ରାହାଞ୍ଜଠାରେ ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଢାବାରେ ଗ୍ରାହକ ଓ ପୋଲିସକୁ ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ଏହି ଘଟଣାରେ ଢାବା ମାଲିକ ରାହାଞ୍ଜ ଗ୍ରାମର ଡା. କୃଷ୍ଣଚନ୍ଦ୍ର ସାହୁଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। ସୂଚନା ଅନୁଯାୟୀ, ରବିବାର ରାତିରେ ଉକ୍ତ ଢାବାରେ ଦୁଇଜଣ ଗ୍ରାହକ ମଟନ ସିଝି ନ ଥିବା ଓ ଅପମିଶ୍ରଣ ହୋଇଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ ଢାବା ମାଲିକ ଓ ଗ୍ରାହକଙ୍କ ମଧ୍ୟରେ ବଚସା ହୋଇଥିଲା। ଖବରପାଇ ଗ୍ରାମାଞ୍ଚଳ ଥାନା ପୋଲିସ ସେଠାରେ ପହଞ୍ଚିଥିଲା। ପରେ ମାଲିକଙ୍କ ସହଯୋଗୀ ଗ୍ରାହକ ଓ ପୋଲିସକୁ ଦୁର୍ବ୍ୟବହାର କରିଥିବା ନେଇ ଜଣେ ଗ୍ରାହକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ। ଏନେଇ ଥାନାରେ ଏକ ମାମଲା(ନଂ.୫୬୮/୨୨) ରୁଜୁ କରାଯାଇଛି।