Categories: ଜାତୀୟ

ଖବରଦାତାଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ: ନିନ୍ଦା କଲା ଆଇଏନ୍‌ଏସ୍‌

ନୂଆଦିଲ୍ଲୀ,୪ା୨(ପି.ଟି./ଆଇଏଏନ୍‌ଏସ୍‌): ଚାଷୀ ଆନ୍ଦୋଳନ ଉପରେ ରିପୋର୍ଟିଂ କରୁଥିବା ବରିଷ୍ଠ ସମ୍ପାଦକ ଓ ଖବରଦାତାଙ୍କ ବିରୋଧରେ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ପୋଲିସ ପକ୍ଷରୁ ଏଫ୍‌ଆଇଆର୍‌ କରାଯାଇଛି। ଇଣ୍ଡିଆନ୍‌ ନ୍ୟୁଜ୍‌ପେପର ସୋସାଇଟି (ଆଇଏନ୍‌ଏସ୍‌) ଅଧ୍ୟକ୍ଷ ଏଲ୍‌. ଅଡିମୁଲାମ୍‌ ଏକ ବିବୃତି ଜାରି କରି କହିଛନ୍ତି, ସମଗ୍ର ପ୍ରିଣ୍ଟ ମିଡିଆ ତରଫରୁ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରାଯାଉଛି। ୩ ରାଜ୍ୟର ସରକାର ନିଜ ନିଷ୍ପତ୍ତିର ସମୀକ୍ଷା କରନ୍ତୁ। ପ୍ରେସ୍‌କୁ ନିର୍ଭୀକ ହୋଇ କାମ କରିବାକୁ ଦିଆଯାଉ ଓ ଏହାର ଅଧିକାରରେ ହସ୍ତକ୍ଷେପ କରା ନ ଯାଉ। ପ୍ରକାଶ ଯେ, ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁରଙ୍କ ଓ କେତେଜଣ ଖବରଦାତାଙ୍କ ବିରୋଧରେ ଦିଲ୍ଲୀର ଟ୍ରାକ୍ଟର ରାଲି ବେଳେ ବିଭ୍ରାନ୍ତିକର ଖବର ପରିବେଷଣ ଓ ଟୁଇଟ୍‌ କରିବା ଅଭିଯୋଗରେ ମାମଲା ଦାଏର କରାଯାଇଛି। ରାଜଦୀପ ସରଦେଶାଇ, ମୃଣାଳ ପାଣ୍ଡେ, ଜଫର ଆଘା, ପରେଶ ନାଥ ଓ ଅନନ୍ତ ନାଥ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଛନ୍ତି।

Share