Categories: ଜାତୀୟ

ଭଡ଼ାରେ ମିଳୁଛନ୍ତିି ପୋଲିସ, ୭୦୦ରେ କନଷ୍ଟେବଳ- ଅଢ଼େଇ ହଜାରରେ ଇନ୍ସପେକ୍ଟର-୩,୩୧୦୦ରେ ଷ୍ଟେଶନ…

ଥିରୁଭାନନ୍ତପୁରମ୍‌, ୧୧।୮ : ସମ୍ପ୍ରତି କେରଳରେ ଏକ ଆଇନକୁ ନେଇ ବିବାଦ ଉପୁଜିଛି। ବାସ୍ତବରେ କେରଳରେ ଏକ ପୁରୁଣା ନିୟମ ଅଛି ଯେ ଭଡ଼ାରେ ଯେକେହି ପୋଲିସ ନିଯୁକ୍ତି କରିପାରିବେ। ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ କେବଳ ଏକ ଦେୟ ଦେବାକୁ ପଡିବ। କେବଳ ୭୦୦ ଟଙ୍କା ଭଡ଼ାରେ ଦିନସାରା ଜଣେ କନଷ୍ଟେବଳ ରଖିପାରିବେ। ସେହିପରି ଜଣେ ଇନ୍ସପେକ୍ଟର ପାଇଁ ୨୫୬୦ ଟଙ୍କା ଦେବାକୁ ପଡିବ। କେବଳ ଏତିକି ନୁହେଁ, ଚାହିଁଲେ, ଜଣେ ବ୍ୟକ୍ତି ପୁରା ପୋଲିସ ଷ୍ଟେଶନକୁ ଭଡାରେ ନେଇ ପାରିବେ। ଏଥିପାଇଁ ୩୩୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଏହି ନିୟମ ପୁରୁଣା । କିନ୍ତୁ ସମ୍ପ୍ରତି ଏହି ପ୍ରସଙ୍ଗ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କୁନ୍ନୁରର କେ. ଅନସାର ତାଙ୍କ ଝିଅର ବିବାହ ପାଇଁ ଭିଭିଆଇପି ସୁରକ୍ଷା ନାମରେ ୪ ଜଣ କନଷ୍ଟେବଳଙ୍କୁ ନିଯୁକ୍ତି ଦେଇଥିଲେ। ବିଶେଷ କଥା ହେଉଛି ବିବାହକୁ କୌଣସି ଭିଆଇପି ଆସି ନଥିଲେ। ବର୍ତ୍ତମାନ କେରଳ ପୋଲିସର ଅନେକ ଅଧିକାରୀ ଏହି ନିୟମକୁ ବିରୋଧ କରୁଛନ୍ତି। ସୋସିଆଲ ମିଡିଆ ଜରିଆରେ କେରଳ ପୋଲିସ ଆସୋସିଏଶନ ଏହି ଘଟଣାରେ ନିଜର ବିରୋଧ ପ୍ରଦର୍ଶନ କରିଛି।

ସଂଶୋଧିତ ରେଟ ଚାର୍ଟ ଅନୁଯାୟୀ ବ୍ୟକ୍ତିଗତ ବ୍ୟବହାର, ଚଳଚ୍ଚିତ୍ର ସୁଟିଂ ଏବଂ ବିଭିନ୍ନ କାର୍ଯ୍ୟ ପାଇଁ ପୋଲିସକୁ ଡାକିବା ପାଇଁ ର଼୍ୟାଙ୍କ ଅନୁଯାୟୀ ଟଙ୍କା ଦେବାକୁ ପଡିବ। ଜଣେ ସିଆଇ ର଼୍ୟାଙ୍କ ଅଧିକାରୀଙ୍କ ପାଇଁ ଗୋଟିଏ ଦିନକୁ ୩୭୯୫ ଟଙ୍କା ଏବଂ ରାତିରେ ୪୭୫୦ ଟଙ୍କା ଦେବାକୁ ପଡିବ। ଏସ୍‌ ଆଇଙ୍କ ପାଇଁ ଦିନ ଏବଂ ରାତିର ଭଡ଼ା ହେଉଛି ୨୫୬୦ ଏବଂ ୪୩ ୬୦ ଟଙ୍କା। ଯଦି ପୋଲିସ କୁକୁର ଚାହୁଁଛନ୍ତି, ତେବେ ୬୯୫୦ ଟଙ୍କା ଦେବାକୁ ପଡିବ । ଆବଶ୍ୟକ ହେଲେ ପୋଲିସ କର୍ମଚାରୀଙ୍କୁ ଓ୍ବେରଲେସ ସେଟ ମଧ୍ୟ ଯୋଗାଇ ଦିଆଯାଏ । ଏଥିପାଇଁ ଦେୟ ହେଉଛି ୨୩୧୫ ଟଙ୍କା ।

କେରଳ ପୋଲିସ ଆକ୍ଟର ଧାରା ୬୨(୨) ରେ ଦର୍ଶାଯାଇଛି ନିଜର ବ୍ୟକ୍ତିଗତ ବ୍ୟବହାର ପାଇଁ କେହି ଭଡ଼ାରେ ପୋଲିସ ରଖିବାର କୌଣସି ଅଧିକାର ନାହିଁ। ବେସରକାରୀ ବ୍ୟକ୍ତି କିମ୍ବା ଅନୁଷ୍ଠାନ ପାଇଁ ସୁରକ୍ଷା ଆବଶ୍ୟକତା ଥିବାବେଳେ ରାଜ୍ୟ ଶିଳ୍ପ ସୁରକ୍ଷା ବଳ ନିଯୁକ୍ତ କରାଯାଇପାରିବ। ପୋଲିସ ଅଧିକାରୀଙ୍କ ସଙ୍ଗଠନ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ପୋଲିସ ମୁଖ୍ୟଙ୍କ ନିକଟରେ ଅଭିଯୋଗ କରିଛନ୍ତି।

 

Share