ମାମଲା ରୁଜୁ କରି ଚୁପ୍‌ ବସିଛି ପୋଲିସ

ଚୌଦ୍ୱାର,୫ା୫(ଡି.ଏନ୍‌.ଏ.):କଟକ ଜିଲା ଟିପିଏମ୍‌ ଫାଣ୍ଡି ଅଧୀନ ଦାଶରଥୀପାଟଣା ଗ୍ରାମର ହିମାଂଶୁ ଦାସ(୨୫) ଗତ ୮ ଦିନ ହେବ ନିଖୋଜ ଅଛନ୍ତି। ଏ ସମ୍ପର୍କରେ ତାଙ୍କ ପରିବାର ଲୋକେ ଟିପିଏମ୍‌ ଫାଣ୍ଡି ଓ ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେ। ହେଲେ ଚୌଦ୍ୱାର ଥାନା ପୋଲିସ ଏକ ମାମଲା ରୁଜୁ କରି ଚୁପ୍‌ ବସିଛି। ତଦନ୍ତରେ ଶିଥିଳତା ଯୋଗୁ ଏପର୍ଯ୍ୟନ୍ତ ହିମାଂଶୁଙ୍କୁ ପୋଲିସ ଉଦ୍ଧାର କରିପାରିନାହିଁ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେଠାରେ ନ୍ୟାୟ ନ ପାଇବାରୁ ଶନିବାର ହିମାଂଶୁଙ୍କ ମାଆ ଶେଫାଳୀ ଓ ବାପା ପରମାନନ୍ଦ କଟକ ଡିସିପିଙ୍କ କାର୍ଯ୍ୟାଳରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଗତ ୨୬ ତାରିଖରେ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ହିମାଂଶୁଙ୍କୁ କଟକ ବଡ ଡାକ୍ତରଖାନା ଯିବା ପାଇଁ କହି ଘରୁ ଡାକି ନେଇଥିଲେ। ସନ୍ଧ୍ୟାରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଫେରି ଆସିଥିବାବେଳେ ହିମାଂଶୁ ଘରକୁ ଫେରି ନ ଥିଲେ। ପରେ ହିମାଂଶୁଙ୍କ ପରିବାର ଲୋକେ ତାଙ୍କ ସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚାରିବାରୁ ସେ କିଛି ଜାଣି ନ ଥିବା କହିଥିଲେ। ଏହାପରେ ଶେଫାଳୀ ଟିପିଏମ୍‌ ଫାଣ୍ଡିରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଫାଣ୍ଡି ଅଧିକାରୀ ମାନସ କୁମାର ମହାରଣା ଉକ୍ତ ବ୍ୟକ୍ତିଙ୍କୁ ଡାକି ପଚରାଉଚରା କରିବା ପରେ ଛାଡି ଦେଇଥିଲେ। ଅଭିଯୋଗ ହେବାର ୪ଦିନ ବିତିକଯାଇଥିଲେ ସୁଦ୍ଧା ଫାଣ୍ଡି ପୋଲିସ ପକ୍ଷରୁ ସୁଫଳ ନ ପାଇବାରୁ ଗତ ୩୦ ତାରିଖରେ ଶେଫାଳୀ ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ଏକ ମାମଲା(ନଂ.୧୮୯/୨୧) ରୁଜୁ କରିଥିଲା। ମାତ୍ର ଏପର୍ଯ୍ୟନ୍ତ ହିମାଂଶୁଙ୍କୁ ଉଦ୍ଧାର କରିବାରେ ସଫଳ ନ ହେବାରୁ ପରମାନନ୍ଦ ଓ ଶେଫାଳୀ ଅସନ୍ତୋଷ ବ୍ୟକ୍ତ କରି କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଥିବା ଅଭିଯୋଗ ବାକ୍ସରେ ଅଭିଯୋଗପତ୍ର ରଖିଛନ୍ତି। ହିମାଂଶୁ ନିଖୋଜ ହେବାଠାରୁ ତାଙ୍କ ମୋବାଇଲ ଫୋନ ସୁଇଚ୍‌ଅପ୍‌ ଥିବାରୁ ପରିବାର ଲୋକଙ୍କ ଚିନ୍ତା ବଢିଛି। ତୁରନ୍ତ ହିମାଂଶୁଙ୍କୁ ପୋଲିସ ଉଦ୍ଧାର ନ କଲେ ତାଙ୍କ ପରିବାର ଲୋକେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚି ନାରାୟଣ ପତି କୁହନ୍ତି, ହିମାଂଶୁଙ୍କ ମୋବାଇଲ ସୁଇଚଅଫ୍‌ ଥିବାରୁ ଟ୍ରାକ୍‌ କରିବା ସମ୍ଭବ ହେଉନି। ଏ ନେଇ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ହିମାଂଶୁଙ୍କ ବଡଭାଇ ସୁଧାଂଶୁ ଭିନ୍ନକ୍ଷମ। ପରମାନନ୍ଦ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରିବା କଷ୍ଟ ହେଉଥିବାବେଳେ ହିମାଂଶୁ ପରିବାରର ସାହାଭରସା ଥିଲେ।

Share