Categories: ଜାତୀୟ

‘ରାଜ୍ୟରେ ପୋଲିସ ବି ସୁରକ୍ଷିତ ନୁହନ୍ତି’

ଗୁରୁଗ୍ରାମ,୨୦ା୭: ଡିଏସ୍‌ପି ସୁରେନ୍ଦ୍ର ସିଂ ବିଷ୍ଣୋଇଙ୍କ ଉପରେ ଖଣି ମାଫିଆମାନେ ଡମ୍ପର ମଡ଼ାଇ ହତ୍ୟା କରିବା ଘଟଣାରେ ହରିୟାଣାର ଭାଜପା ସରକାରଙ୍କୁ ବିରୋଧୀ ଘେରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଠାରେ ବିଧାୟକ କି ଖୋଦ ପୋଲିସ ମଧ୍ୟ ସୁରକ୍ଷିତ ନୁହନ୍ତି। ଏପରିସ୍ଥିତିରେ ସାଧାରଣ ଜନତାଙ୍କ ଅବସ୍ଥା କ’ଣ ହେବ ବୋଲି ହରିୟାଣା କଂଗ୍ରେସ ପକ୍ଷରୁ ଟୁଇଟ୍‌ କରାଯାଇଛି। କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ରଣଦୀପ ସୂର୍ଯ୍ୟଓ୍ବୋଲା ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି କିମ୍ବା ସିଟିଂ ଜଜ୍‌ଙ୍କ ନେତୃତ୍ୱରେ ଏହାର ଯାଞ୍ଚ କରାଯାଉ ବୋଲି ସେ କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲ ମଧ୍ୟ ଖଟ୍ଟର ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଜଣେ ପୋଲିସ ଅଫିସରଙ୍କ ହତ୍ୟା ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ବିଫଳତାକୁ ଦର୍ଶାଉଛନ୍ତି। ଯେଉଁଠି ପୋଲିସ ସୁରକ୍ଷିତ ନୁହେଁ ସେଠାରେ ଲୋକେ କିପରି ନିର୍ଭୟରେ ରହିବେ ବୋଲି କେଜ୍‌ରିଓ୍ବାଲ ପ୍ରଶ୍ନ କରିଛନ୍ତି।

Share