Advertisement

ଜାଗର ପାଇଁ ପୋଲିସ ସଜାଗ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାତି ୧୦ ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଥିବାବେଳେ ରାଜ୍ୟ ଓ ବାହାରୁ ଭକ୍ତଙ୍କ ସମାଗମ ହୋଇପାରେ। ତେଣୁ ସେମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରସ୍ତୁତ ରହିଥିବା ଶୁକ୍ରବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି। ରାତି ୨ଟାରୁ ସେବାୟତ ପରିବାର ଉତ୍ତର ଦ୍ୱାର ଦେଇ ଓ ୩ଟାରୁ ସିଂହ ଦ୍ୱାର ଦେଇ ଶ୍ରଦ୍ଧାଳୁଙ୍କ ପ୍ରବେଶ ବ୍ୟବସ୍ଥା ରହିଛି। ତେଣୁ ଏହା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ସହ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି। ସେହିପରି ସ୍ବତନ୍ତ୍ର ବ୍ୟାରିକେଡ କରାଯାଇଛି। ଗଙ୍ଗା ଯମୁନା ଛକରୁ ବ୍ୟାରିକେଡ ବ୍ୟବସ୍ଥା ହୋଇଥିବାବେଳେ ଗୋଟିଏ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟ କରୁଛି। ଏସ୍‌ଓଜି ମୁତୟନ ହେବେ। ୪ଟି ସିଫ୍ଟରେ ଡ୍ୟୁଟି କରିବେ ପୋଲିସ। ଡିସିପି ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୫ଜଣ ଅତିରିକ୍ତ ଡିସିପି, ୧୧ ଏସିପି, ୧୯ ଆଇଆଇସି, ୭୯ ଜଣ ଏସଆଇ /ଏଏସଆଇ, ୯୩ ଜଣ ଏପିଆର କନ୍‌ଷ୍ଟେବଳ, ୯୧ ସେକ୍ସନ ଫୋର୍ସ ସମେତ ୧୦୯ ଜଣ ଗୃହରକ୍ଷୀ ଏବଂ ୩୨ ପ୍ଲାଟୁନ ପୋଲିସ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି। ଏହାସହ ୧୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ମନ୍ଦିର ସମ୍ମୁଖ ରାସ୍ତାକୁ ୱାନ୍‌ ୱେ କରାଯାଇଛି । ୧୦୦ ମିଟର ପରିଧି ମଧ୍ୟରେ ଗାଡି ଚଳାଚଳ ନିଷିଦ୍ଧ କରାଯାଇଛି। ସେହିପରି ପକେଟ୍‌ମାର, ଛିନତାଇ ଉପରେ ସାଦା ପୋଷାକଧାରୀ ପୋଲିସ ନଜର ରଖିବା ସହ ପୂରା ଅଞ୍ଚଳ ସିସିଟିଭି ସର୍ଭେଲାନ୍ସରେ ରଖାଯାଇଥିବା ଡିସିପି ସିଂ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel