ଲାଗିଲା ପୋଷ୍ଟର, ପରିଚୟ ଦେଲେ ପୁରସ୍କାର

ଭୁବନେଶ୍ୱର,୨୫।୭(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ବରିମୁଣ୍ଡ ନିକଟ କୁଆଖାଇ ନଦୀପଠା ବାଲିରେ ପୋତା ହୋଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାକୁ ଇତିମଧ୍ୟରେ ୩ଦିନ ବିତିଛି। ପୋଲିସ ଏ ପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ପାଇପାରି ନ ଥିବାରୁ ତଦନ୍ତରେ ସେଭଳି କିଛି ଅଗ୍ରଗତି ହୋଇପାରୁନାହିଁ। ଏପରିସ୍ଥଳେ ପରିଚୟ ପାଇବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି। ଶନିବାର ରାଜଧାନୀର ବିଭିନ୍ନ ବସ୍ତି ଅଞ୍ଚଳରେ ପଚରଉଚରା କରିଛି। ଏଥିସହିତ ମୃତଦେହ ଓ ଘଟଣାସ୍ଥଳରୁ ମିଳିଥିବା ପୋଷାକ, ଚପଲ ଆଦିର ଏକ ପୋଷ୍ଟର ପ୍ରସ୍ତୁତ କରି ବିଭିନ୍ନ ସ୍ଥାନରେ ଲଗାଇଛି। ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ, ପେଟ୍ରୋଲ ପମ୍ପ୍‌, ବ୍ୟାଙ୍କ, ଅଫିସ. ବସ୍‌ ଷ୍ଟାଣ୍ଡ୍‌, ଷ୍ଟେଶନ ଆଦି ୧୦୦ଟି ପୋଷ୍ଟର ଲଗାଯାଇଛି। ସେଥିରେ ମଧ୍ୟ ଫୋନ୍‌ ନମ୍ବର ଦିଆଯାଇଛି। କେହି ମୃତକଙ୍କ ସମ୍ପର୍କରେ ସୂଚନା ପାଇଲେ ଉକ୍ତ ନମ୍ବରରେ କଲ୍‌ କରି ଜଣାଇବାକୁ କମିଶନରେଟ୍‌ ପୋଲିସ ନିବେଦନ କରିଛି। ଏଥିସହିତ ପରିଚୟ ଦେଇଥିବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବା ସହ ତାଙ୍କୁ ପୁରସ୍କାର ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷେ ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ପୋଲିସ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି। ଏହା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ଗତ ୨୧ ତାରିଖ ଅପରାହ୍ନରେ ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକ କୁଆଖାଇ ପଠାକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ନଦୀପଠାର ଏକ ସ୍ଥାନରେ ବାଲି ଗଦା ହୋଇ ରହିଥିବାବେଳେ ପାପୁଲି, ପ୍ୟାଣ୍ଟ ଓ ଚପଲ ଉପରକୁ ଦୁଶୁଥିବା ଏବଂ ଦୁର୍ଗନ୍ଧ ହେଉଥିବାରୁ ସନ୍ଦେହ କରି ଥାନାକୁ ଖବର ଦେଇଥିଲେ। ରାତି ହୋଇଯିବାରୁ ପୋଲିସ ମୃତଦେହ ବାହାର ନ କରି ଜଗି ରହିଥିଲା। ଗୁରୁବାର ସକାଳେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ଉକ୍ତ ସ୍ଥାନକୁ ଯାଞ୍ଚ୍‌ କରି ବିିଭିନ୍ନ ନମୁନା ସଂଗ୍ରହ କରିଥିଲା। ତାଙ୍କ ଡାହାଣ କାନରେ ଏକ କୁଣ୍ଡଳ ରହିଥିବା ଦେଖିବାକୁ ମିଳିଥିଲା। ମୃତଦେହ ନିକଟରୁ ଲାଲ୍‌-ନୀଳ ରଙ୍ଗର ଏକ ଚପଲକୁ ପୋଲିସ ଜବତ କରିଥିଲା। ସେ ଫୁଲ୍‌ ପ୍ୟାଣ୍ଟ ସହ ଶାର୍ଟ ପିନ୍ଧିଥିବାବେଳେ ଶରୀରରେ କୌଣସି ସ୍ଥାନରେ କ୍ଷତ ଚିହ୍ନ ମିଳି ନ ଥିଲା।

Share