Categories: ଜାତୀୟ

ଟାର୍ଗେଟ୍‌ରେ ପୋଲିସ-ସେନା ଯବାନ, ୫ ବର୍ଷରେ ୧୩ ଜଣଙ୍କୁ ହତ୍ୟା…

ଶ୍ରୀନଗର,୨୮।୬: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ପୋଲିସ ଏବଂ ସେନା ଯବାନଙ୍କୁ ଟାର୍ଗେଟ୍‌ କରିଛନ୍ତି। ଆତଙ୍କବାଦୀମାନେ କେତେକ ଯବାନଙ୍କୁ ଅପହରଣ ପରେ ହତ୍ୟା କରିଥିବାବେଳେ ଅନ୍ୟ କେତେକଙ୍କ ଘରେ ପଶି ଗୁଳି କରିଛନ୍ତି। ସେହିପରି କେତେକଙ୍କୁ ରାସ୍ତାରେ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ। ପୁଲଓ୍ବାମାର ଅଓ୍ବନ୍ତିପୋରାସ୍ଥିତ ହରିପରିଗାମ୍‌ରେ ରବିବାର-ସୋମବାର ବିଳମ୍ବିତ ରାତ୍ରରେ ଏସ୍‌ପିଓ ଫୈୟାଜ୍‌ ଅହମ୍ମଦଙ୍କ ଘରେ ପଶି ଆଖିବୁଜା ଗୁଳି ଚାଳନା କରିଥିଲେ। ଘଟଣାସ୍ଥଳରେ ଫୈୟାଜ୍‌ଙ୍କ ମୃତ୍ୟୁ ଘଟିଥିଲା। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଗୁରୁତର ହୋଇଥିବା ତାଙ୍କ ସ୍ତ୍ରୀ ଏବଂ ପୁଅଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଛି। ୨୦୧୭ ମେ’ ୧୦ରୁ ୨୦୨୧ ଜୁନ୍‌ ୧୭ ମଧ୍ୟରେ ଆତଙ୍କବାଦୀ ୧୩ ଜଣ ପୋଲିସ ଏବଂ ସେନା ଯବାନଙ୍କୁ ହତ୍ୟା କରିଛନ୍ତି। ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ କରାଯାଉଥିବା ଆତଙ୍କବାଦୀ ବିରୋଧୀ କାର୍ଯ୍ୟକଳାପ ଯୋଗୁ ଏଭଳି ହତ୍ୟା ଘଟଣା ବୃଦ୍ଧି ପାଉଛି।

Share