‘ସୁଭଦ୍ରା’ ଫର୍ମ ପୂରଣ ନାଁରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ କରିଥିଲେ, ଏବେ ପଡିଲେ ଧରା

କେନ୍ଦୁଝର,୧୪।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ‘ସୁଭଦ୍ରା’ ଫର୍ମ ପୂରଣ ନାଁରେ ଆଧାର ସଂଯୋଗ କରି ବ୍ୟାଙ୍କ ଆକାଉଣ୍ଟ ଲୁଟିଥିବା ଲୁଟେରାଙ୍କୁ କେନ୍ଦୁଝର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଜଣଙ୍କ ହେଲେ କେନ୍ଦୁଝର ଜିଲା ନୟାକୋଟ ଥାନା କଲଣ୍ଡା ଗ୍ରାମର ବିପିନ ମୁଣ୍ଡାଙ୍କ ପୁଅ ରାମ ମୁଣ୍ଡା (୨୨)ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ସୁଭଦ୍ରା ଯୋଜନା ପାଇଁ ମୋବାଇଲ ନଂ.କୁ ଆଧାର ସହ ସଂଯୋଗ କରିବାକୁ ଅକ୍ଟୋବର ୪ରେ ବେଣାମୁଣ୍ଡାଠାରେ ଥିବା ଜନସେବା କେନ୍ଦ୍ରକୁ ବେଣାମୁଣ୍ଡା ଓ ଗଳଦା ଗ୍ରାମର କେତେଜଣ ମହିଳା ଯାଇଥିଲେ। ସେଠାରେ ଜଣେ ଯୁବକ ଆଧାର ସହ ମୋବାଇଲ ନମ୍ବରକୁ ସଂଯୋଗ ନିମନ୍ତେ ମହିଳାଙ୍କଠାରୁ ଇ-ପିଓଏସ୍‌ରେ ଟିପଚିହ୍ନ ନେଇଥିଲେ। ମହିଳାମାନେ ଆଧାର ସଂଯୋଗ ପାଇଁ ଟିପଚି଼ହ୍ନ ଦେଇ ଘରକୁ ଫେରିଥିଲେ। କିଛି ସମୟ ପରେ ବେଣାମୁଣ୍ଡା ଗ୍ରାମର ତ୍ରିଲୋଚନ ସାହୁଙ୍କ ସ୍ତ୍ରୀ ସତ୍ୟଭାମା ସାହୁଙ୍କ ବ୍ୟାଙ୍କଖାତାରୁ ଅକ୍ଟୋବର ୪ରେ ୧୦ ହଜାର ଓ ୬ ତାରିଖରେ ୧୦ ହଜାର ଉଠିଥିବା ମୋବାଇଲକୁ ମେସେଜ ଆସିଥିଲା। ଟଙ୍କା ବ୍ୟାଙ୍କଖାତାରୁ ଉଠିଥିବା ଜାଣି ବ୍ୟାଙ୍କକୁ ଯାଇ ପଚାରିଥିଲେ। ଆଧାର କେନ୍ଦ୍ରରେ ଟିପଚିହ୍ନ ଦେବା ଯୋଗୁ ତାଙ୍କ ଟଙ୍କା ଉଠାଯାଇଥିବା ଜାଣିବାକୁ ପାଇଥିଲେ। ଅଞ୍ଚଳର ପ୍ରାୟ ୨୦ରୁ ୨୫ଜଣ ମହିଳା ଏଭଳି ଠକାମିର ଶିକାର ହୋଇଥିବା ନେଇ ତେଲକୋଇ ଥାନାରେ ଶୁକ୍ରବାର ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ଚଳାଇଥିଲା।

Share