ମାସ୍କ୍‌ ପିନ୍ଧି ନ ଥିବା ଛେଳିକୁ ବାନ୍ଧି ନେଲେ ପୋଲିସ ବାବୁ…

କାନପୁର, ୨୮।୭: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ମାସ୍କ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏପରିସ୍ଥଳେ ଉତ୍ତରପ୍ରଦେଶରେ ମାସ୍କ୍‌ ନ ପିନ୍ଧି ରାସ୍ତାରେ ବୁଲୁଥିବା ଏକ ଛେଳିକୁ ପୋଲିସ ବାବୁ ବାନ୍ଧି ଥାନାକୁ ନେଇ ଯାଇଥିବା ଖବର ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଅନଓ୍ବରଗଞ୍ଜ ପୋଲିସ ଷ୍ଟେଶନର ସର୍କଲ ଅଫିସର ସୈଫୁଦ୍ଦିନ୍‌ ବେଗ୍‌ କହିଛନ୍ତି ଯେ, ଜଣେ ଯୁବକ ବିନା ମାସ୍କ୍‌ରେ ଛେଳିକୁ ଧରି ରାସ୍ତାରେ ବୁଲୁଥିଲେ। ପୋଲିସ ପାଟ୍ରୋଲିଂ ଟିମ୍‌କୁ ଦେଖି ସେ ଜରିମାନା ଭୟରେ ଦୌଡ଼ି ପଳାଇଥିଲେ। ତେଣୁ ତାଙ୍କୁ ବୁଦ୍ଧି ଶିଖାଇବା ପାଇଁ ପାଟ୍ରୋଲିଂ ଟିମ୍‌ ଛେଳିକୁ ଜିପ୍‌ରେ ବସାଇ ଷ୍ଟେଶନକୁ ଆଣିଥିଲୋ। ପରେ ଯୁବକ ଜଣକ ଷ୍ଟେଶନକୁ ଆସି ଜରିମାନା ଦେଇ ଛେଳିକୁ ଘରକୁ ନେଇଥିଲେ। ଷ୍ଟେଶନର ଅନ୍ୟ ଜଣେ କର୍ମଚାରୀ ମଜାରେ କହିଥିଲେ ଯେ, ଏବେ ଲୋକେ ପୋଷା କୁକୁରକୁ ମାସ୍କ୍‌ ପିନ୍ଧାଉଛନ୍ତି। ଏପରିସ୍ଥଳେ ପୋଷା ଛେଳି କାହିଁକି ମାସ୍କ୍‌ ନ ପିନ୍ଧିବ। କର୍ମଚାରୀଙ୍କ ଏହି ମଜାଳିଆ ମନ୍ତବ୍ୟ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବିଚରା ଛେଳି ମାଲିକ ପାଇଁ ବନ୍ଧା ହୋଇ ଥାନାକୁ ଯାଇଥିବା ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

Share