ଆର୍‌ଆଇ, ଅମିନ ପରୀକ୍ଷା ସେଣ୍ଟର ମାଲିକଙ୍କୁ ଉଠାଇ ନେଲା ପୋଲିସ, ଜାଣନ୍ତୁ କାହିଁକି

କଣ୍ଟାମାଳ/ମନମୁଣ୍ଡା,୨।୧୦(ଆଦିତେଶ୍ୱର ମିଶ୍ର /ବେଣୁଧର ପଧାନ): ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସଏସଏସସି) ଦ୍ୱାରା ଆୟୋଜିତ ଆର୍‌ଆଇ, ଅମିନ ପରୀକ୍ଷାରେ ବାରମ୍ବାର ଅନିୟମିତତାର ଅଭିଯୋଗ ଆସୁଛି। ବୁଧବାର ବୌଦ୍ଧ ଜିଲାରୁ ମଧ୍ୟ ଏପରି ଖବର ଆସିଛି। ପ୍ରକୃତ ମାଲିକଙ୍କ ପରିଚୟ ପତ୍ରରେ ନିଜ ଫଟୋ ଲଗାଇ ପରୀକ୍ଷା ସେଣ୍ଟର ଚଳାଉଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି।

ପରୀକ୍ଷା ଚାଲିଥିବା ବେଳେ ଅଭିଯୁକ୍ତ ସୁବଳ କହଁରଙ୍କୁ ମନମୁଣ୍ଡା ଥାନା ପୋଲିସ ଉଠାଇ ନେଇଥିଲା। ସୂଚନା ଅନୁଯାୟୀ ସମ୍ବିତ କୁମାର ବେହେରା ସେଣ୍ଟର ମାଲିକ ହୋଇଥିବା ବେଳେ ତାଙ୍କ ସ୍ଥାନରେ ନକଲି ଭାବେ ଅନ୍ୟ ଜଣଙ୍କ ଫଟୋ ଲାଗିଥିଲା। ତେବେ ପରୀକ୍ଷା ସେଣ୍ଟରଟି ଅସଲି ଥିବା ବେଳେ ନକଲି ମାଲିକ ପରିଚାଳନା କରୁଥିବା ଅଭିଯୋଗ ହେବା ପରେ ବୁଧବାର ପୋଲିସ ଉକ୍ତ ସେଣ୍ଟର ଉପରେ ଚଢାଉ କରିଥିଲା। ପୋଲିସ ସେଣ୍ଟରରୁ ସୁବଳଙ୍କୁ ନେଇ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ତେବେ ଏହି ସେଣ୍ଟରରେ ଆଗକୁ ପରୀକ୍ଷା ହେବ କି ନାହିଁ ସେନେଇ କୌଣସି ସୂଚନା ମିଳିପାରି ନାହିଁ। ଦିନକୁ ୩ ଟି ସିଫ୍ଟରେ ପରୀକ୍ଷା ଚାଲୁଥିବା ବେଳେ ପ୍ରତ୍ୟକ ସିଫଟରେ ୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିଲେ। ତେବେ ପରୀକ୍ଷା କେନ୍ଦ୍ରର ନକଲି ମାଲିକ ଗିରଫ ହେବା ପରେ ଏଠାରେ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥ ଏବେ ଚିନ୍ତାରେ ପଡିଯାଇଛନ୍ତି। ଜିଲାରେ ନକଲି ଭାବେ ଚାଲୁଥିବା ସେଣ୍ଟର ବିଷୟରେ ପ୍ରଶାସନର ଅଧିକାରୀ ମାନେ କିପରି ଜାଣି ପାରିଲେ ନାହିଁ ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ଏନେଇ ମନମୁଣ୍ଡା ଥାନା ଅଧିକାରୀ ରାଜକୁମାର ମୁର୍ମୁଙ୍କ କହିଛନ୍ତି ଏହି ଘଟଣାରେ କୌଣସି ମାମଲା ରୁଜୁ ହୋଇନାହିଁ , ଅଭିଯୋଗ ନେଇ ଜଣଙ୍କୁ ଅଟକ ରଖାଯାଇଛି, ସେ ସେଠାରେ କାମ କରୁଥିବା କହିଛନ୍ତି। ପୋଲିସ ତାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି।