ବେଆଇନ ମଦ, ସଟ୍ଟା କାରବାର ଉପରେ ଚଢ଼ାଉ: ୧୧ ଜଣଙ୍କୁ ବାନ୍ଧିଲା ପୋଲିସ

ବରଗଡ଼ା,୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ, ସଦର ଏବଂ ଗ୍ରାମାଞ୍ଚଳ ଥାନା ପୋଲିସ ବେଆଇନ ମଦ ଏବଂ ସଟ୍ଟା କାରବାର ଉପରେ ଚଢ଼ାଉ କରିଛି। ଚଢ଼ାଉରେ ୧୧ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ନଗଦ ବିପୁଳ ଟଙ୍କା ସହିତ ମଦ, ତାସ, କାଲକୁଲେଟର, ମୋବାଇଲ ଆଦି ଜବତ ହୋଇଛି। ଏ ନେଇ ବରଗଡ଼ ଗ୍ରାମାଞ୍ଚଳ ଥାନା, ଟାଉନ ଥାନା ଏବଂ ସଦର ଥାନାରେ ପୃଥକ ଭାବେ ମାମଲା ରୁଜୁ ହୋଇଛି। ଗିରଫମାନଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ପୋଲିସ ସୂଚନା ଦେଇଛି। ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ୪ଜଣଙ୍କୁ ଗିରଫ କରିଛି। ଗିରଫମାନେ ହେଲେ ସୁରେନ୍ଦ୍ର ଶିକା, ଭରତ ତାଣ୍ଡି, ସଦାଶିବ ସୁନା ଏବଂ ଗୋପାଳ ସାହୁ। ସେମାନଙ୍କ ପାଖରୁ ନଗଦ ୧୩ହଜାର ୯୩୦ ଟଙ୍କା, ୨ମୋବାଇଲ, ୨ କାଲକୁଲେଟର ଏବଂ ସଟ୍ଟାଚିଟ୍‌ ଜବତ ହୋଇଛି। ସେହିପରି ବରଗଡ଼ ଟାଉନ ଥାନା ପୋଲିସ ମହେଶ୍ୱର ନାଏକ, ଜିତେନ୍ଦ୍ରୀୟ ଝଙ୍କିୟା, ଅଭିମନ୍ୟୁ ବରିହା ଏବଂ ସୁନିଲ କୁମ୍ଭାରଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ନଗଦ ୬୮୧୦ ଟଙ୍କା, ୨ମୋବାଇଲ, ୨ କାଲକୁଲେଟର, ସଟ୍ଟାଚିଟ୍‌ ଜବତ ହୋଇଛି। ସେହିପରି ବରଗଡ଼ ସଦର ଥାନା ପୋଲିସ ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, କାହ୍ନୁ ନାଏକ, ସୁଖଲାଲ ସେଠ ଏବଂ ସରୋଜ ବାରିକ। ସେମାନଙ୍କ ପାଖରୁ ନଗଦ ୫୧୦୦ ଟଙ୍କା, ଗୋଟିଏ ମୋବାଇଲ, ଗୋଟିଏ କାଲକୁଲେଟର ଏବଂ ସଟ୍ଟାଚିଟ୍‌ ଜବତ ହୋଇଛି ବୋଲି ପୋଲିସ ସୂଚନା ଦେଇଛି।