ଚାକିରି ଦେବା ନାଁରେ ଟଙ୍କା ଲୁଟ୍‌, ୪ ନକଲି ନାଭାଲ ଅଫିସରଙ୍କୁ ଧରିଲା ପୋଲିସ

ଗଜପତି,୧୭।୯(ଡି.ଏନ୍‌,ଏ.): ପାରଳାଖେମୁଣ୍ଡି ପୋଲିସ କବ୍‌ଜାରେ ନକଲି ନାଭାଲ ଅଫିସର ଟିମ୍‌ । ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗକୁ ଭିତ୍ତି କରି ପାରଳାଖେମୁଣ୍ଡି ପୋଲିସ ଶନିବାର ବିଶାଖାପାଟଣାରୁ ମୁଖ୍ୟ ଅଭିଯୁକ୍ତଙ୍କ ସହ ୪ଜଣଙ୍କୁ ଧରିବାରେ ସଫଳ ହୋଇଛି।
ଦୀର୍ଘ ଦିନ ଧରି ଅଞ୍ଚଳରେ ଚାକିରି ଦେବା ନାଁରେ ଶିକ୍ଷତ ବେକାର ଯୁବତୀ, ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଅଭିଯୁକ୍ତ ଠକି ନେଇଥିଲେ। ଠକାମିର ଶିକାର ଯୁବକମାନଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବା ପାଇଁ ସେମାନେ ନାଭାଲ ପୋଷାକ ବ୍ୟବହାର କରୁଥିଲେ। ଏପରି କି କିଛି ଯୁବକଙ୍କୁ ନାଭାଲ ପୋଷାକ ଓ ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରିଥିବା ବେଳେ ଏସବୁ ସମ୍ପୂର୍ଣ୍ଣ ମିଛ ବୋଲି ଜଣାପଡିଥିଲା। ଏନେଇ ଆଶିଷ କୁମାର ପ୍ରଧାନ ନାମକ ଜଣେ ଯୁବକଙ୍କ ସହ ଅନ୍ୟଜଣେ ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ପରେ ନକଲି ନାଭାଲ ଅଫିସର ଟିମ୍‌କୁ ଧରିଥିଲା। ଅଭିଯୁକ୍ତଙ୍କୁ ଗିରଫ ପରେ ପାରଳାଖେମୁଣ୍ଡି ପୋଲିସ କୋର୍ଟ ଚାଲାଣ କରିଛି।
ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏକ ମାମଲା (ନଂ.୧୪୫/୨୨) ରୁଜୁ କରି ପୋଲିସ ଅଧିକ ତଦନ୍ତ ଚଳାଇଛି। ଅଭିଯୁକ୍ତମାନଙ୍କଠାରୁ ପୋଲିସ ନକଲି ନାଭାଲ ପୋଷାକ, କ୍ୟାପ୍‌, ୬ଟି ମୋବାଇଲ ଫୋନ, ବ୍ୟାଙ୍କ ପାସ୍‌ବୁକ, ନକଲି ନିଯୁକ୍ତି ପତ୍ର ଏବଂ ନକଲି ଆଧାର କାର୍ଡ ଆଦି ଜବତ କରିଛି। ତେବେ ଅଧିକ ତଦନ୍ତ କରାଗଲେ ଅଭିଯୁକ୍ତଙ୍କ ସହ ଅନ୍ୟ କେଉଁମାନେ ସମ୍ପୃକ୍ତ, ସେସବୁ ସାମ୍ନାକୁ ଆସିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗଜପତି ଏସ୍‌ପି।

Share