ହାତୀ ମୃତ୍ୟୁ ଘଟଣାରେ ୫ ଜଣଙ୍କୁ ବାନ୍ଧିଲା ପୋଲିସ

କେନ୍ଦୁଝର,୧୧ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ରେଞ୍ଜ ଅନ୍ତର୍ଗତ ସଲେଇକେନା ପଞ୍ଚାୟତ ଅନ୍ତର୍ଗତ ଗାଡିମରା ଜୁଆଙ୍ଗ ସାହି ନିକଟରେ ବିଦ୍ୟୁତ ଆଘାତରେ ଦନ୍ତାହାତୀର ମୃତ୍ୟୁ ଘଟଣାରେ ବନ ବିଭାଗ ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଜନସନପୁର ଗ୍ରାମର ଚିତ୍ରସେନ ମୁଣ୍ଡା(୩୩), ଜିତୁ ମୁଣ୍ଡା(୪୩), ମିଥୁ ପ୍ରଧାନ(୨୩), ପୁତୁରା ପ୍ରଧାନ(୬୭) ଏବଂ ରୁଗୁଡି ଗ୍ରାମର ସନ୍ତୋଷ ମୁଣ୍ଡା(୩୩)। ସେମାନଙ୍କଠାରୁ ବନ ବିଭାଗ ଘଟଣାରେ ବ୍ୟବହାର ହୋଇଥିବା ତାର,କାଠ ଖୁଣ୍ଟ,ବୋତଲ ଆଦି ଜବତ କରିଛି। ସେମାନେ ଉକ୍ତ ଅଞ୍ଚଳରେ ବାର୍‌ହା ଆତଙ୍କ ଲାଗି ରହିଥିବାରୁ ବାର୍‌ହା ଶିକାର ପାଇଁ ତାର ବିଛାଇଥିଲେ। ଉକ୍ତ ବିଦ୍ୟୁତତାର ସଂସ୍ପର୍ଶରେ ଆସିି ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ଜାଣିପାରିଛି।

ପ୍ରକାଶ ଯେ, ଗତକାଲି ସଲେଇକେନା ଗାଁ ନିକଟ ଚାଷଜମିର ଏକ ୪୦ ବର୍ଷ ବୟସ୍କ ଦନ୍ତାହାତୀ ମୃତଦେହ ଠାବ ହୋଇଥିଲା। ବ୍ୟବଚ୍ଛେଦ ବେଳେ ହାତୀଟି ବିଦ୍ୟୁତ ଆଘାତର ମୃତ୍ୟୁବରଣ କରିଥିବା ଜାଣିବା ପରେ ବନ ବିଭାଗ ଗତକାଲି ୨ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ୩ ଜଣଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ ଚାଲିଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସିଏଫ୍‌ ଅଶୋକ ଦାସ ସୂଚନା ଦେଇଛନ୍ତି।

Share