ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ ମାମଲା ରୁଜୁ କରିବା ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏବେ ସେମାନଙ୍କଠାରୁ ସଂପୃକ୍ତ ଟ୍ରକ୍‌ ସମେତ ଦୁଇଟି କାର୍‌, ମୋବାଇଲ, ଓ ୧ ଲକ୍ଷ ୯୮ ହଜାର ୫୦୦ ଟଙ୍କା ଜବତ କରିଛି। ଅଭିଯୁକ୍ତ ହେଲେ କମଲ ଶେଖ,ସାହେବଗଞ୍ଜ,ଝାଡ଼ଖଣ୍ଡ, ଗଲିବ ହାସିମ, ଧର୍ମଶାଳା, ଯାଜପୁର, ବରଦା ବେହେରା ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ରାକେଶ କୁମାର ପଣ୍ଡା, ବରୀ ଯାଜପୁର, ଶୁଭ୍ରାଂଶୁ ଶେଖର ମହାନ୍ତି ଟାଙ୍ଗୀ, କଟକ।

ସୂଚନାଯୋଗ୍ୟ, ଗତ ମାସ୨୯ ତାରିଖ ସକାଳେ ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରୁ ବିନା କାଗଜପତ୍ରରେ ଏକ ୧୬ ଚକିଆ ଟ୍ରକ୍‌ (ଓଡି୦୪କ୍ୟୁ-୭୩୬୩)ବାହରକୁ ବାହାରିଥିଲା। ଉକ୍ତ ବାହାର ଟ୍ରକ୍‌ ଉପରେ ସ୍ଥାନୀୟ ଟ୍ରକ୍‌ ମାଲିକ ସଂଘ କର୍ମକର୍ତ୍ତାଙ୍କ ସନ୍ଦେହ ହେବାରୁ ତାକୁ ଅଟକାଇ ଯାଞ୍ଚ କରିଥିଲେ। କାଗଜପତ୍ର ନ ଥିବାରୁ ପୋଲିସକୁ ଡାକି ହସ୍ତାନ୍ତର କରିଥିଲେ। ପୋଲିସ ଏହା ଯାଞ୍ଚ କରିବାରୁ ଅନେକ ବଡ଼ ଲୋକଙ୍କ ସଂପୃକ୍ତ ଥିବା ଯାଣି ପାରିଥିଲା। ଏପରିକି ପୋର୍ଟ ଗେଟ୍‌ ପାଖରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌)କିପରି ଛାଡିଲା ପ୍ରଶ୍ନ ଉଠିଥିଲା। ଏହି ଘଟଣାରେ ଜଣେ ସିଆଇଏସ୍‌ଏଫ୍‌ କନଷ୍ଟେବଳ ସସ୍‌ପେଣ୍ଡ ହୋଇଥିବା ଜଣାପଡିଛି। ଏହା ପ୍ରୟୋଜିତ ଭାବେ ବଡ଼ ରାକେଟ ଚାଲିଥିଲା ବୋଲି ଥାନାଧିକାରୀ ସୁଚିତ୍ରବୀର୍ଯ୍ୟ ଦାସ କହିଛନ୍ତି।

Share