ଗୟା,୨୯।୧୨: ଭାରତରେ ଅନୁପ୍ରବେଶ କରିବାକୁ ଚାଇନା ଅନେକ ଅସଫଳ ଉଦ୍ୟମ କରିସାରିଛି। ନିଜର ମନ୍ଦ କାର୍ଯ୍ୟକଳାପରେ ବିଫଳ ହେବା ପରେ ଏବେ ଚାଇନାର ନୂଆ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି। ବର୍ତ୍ତମାନ ସୁରକ୍ଷା ଏଜେନ୍ସି ପକ୍ଷରୁ ଦାବି କରାଯାଇଛି ଯେ, ଏବେ ଭାରତରେ ଥିବା ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଗୁପ୍ତଚର ଗିରି କରିବା ପାଇଁ ଚାଇନା ଜଣେ ମହିଳାଙ୍କୁ ପଠାଇଛି। ଆଶଙ୍କା କରାଯାଉଛି ଯେ, ଉକ୍ତ ମହିଳା ଭକ୍ତଙ୍କ ମଧ୍ୟରେ ରହି ଦଲାଇ ଲାମାଙ୍କ ଗୁପ୍ତଚର ଗିରି କରିପାରେ। କିନ୍ତୁ ଏହାପୂର୍ବରୁ ବିହାର ପୋଲିସ ଉକ୍ତ ମହିଳାଙ୍କୁ ଗିରଫ କରିଛି। ପୂର୍ବରୁ ପୋଲିସ ସେହି ମହିଳାଙ୍କ ସ୍କେଚ ଜାରି କରିଥିଲା। ଗୁରୁବାର ସନ୍ଧ୍ୟାରେ ବୌଦ୍ଧଗୟାର କାଳଚକ୍ର ଗ୍ରାଉଣ୍ଡ ବାହାରୁ ଚାଇନା ଗୁପ୍ତଚର ମହିଳାଙ୍କୁ ପୋଲିସ ଗିରଫ କରିଛି। ସେହି ସ୍ଥାନରେ ଦଲାଇ ଲାମା ପ୍ରତିଦିନ ପ୍ରବଚନ ଦେବାକୁ ଆସିଥାନ୍ତି। ଗିରଫ ଚାଇନା ମହିଳା ଜଣକ ସଙ୍ଗ୍ ଶିଆଓଲନ ବୋଲି ଜଣାପଡ଼ିଛି। ସେ ବୌଦ୍ଧ ଭିକ୍ଷୁ ପରି ପୋଷାକ ପିନ୍ଧୁଥିଲେ। ଦଲାଇ ଲାମାଙ୍କ ପ୍ରତି ବିପଦ ଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିବା ବେଳେ ପଚରାଉଚରା ଚଳାଇଛି।