ଯୁବତୀ ଚାଲାଣ ଅଭିଯୋଗରେ ପୁଅକୁ ବାନ୍ଧିନେଲା ପୋଲିସ, ଅଟକାଇବାକୁ ଯାଇ ମା’ ଗୁରୁତର

କୁତ୍ରା,୨୧।୭(ଡି.ଏନ.ଏ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଏଲଗା(କଣ୍ଟାଝାର)ଗ୍ରାମର ଜଣେ ଯୁବକଙ୍କୁ ଯୁବତୀ ଚାଲାଣ ଅଭିଯୋଗରେ ସିମଡେଗା ପୋଲିସ ବୁଧବାର ସକାଳୁ ଗିରଫ କରିଛି।
ସୂଚନାଯୋଗ୍ୟ, କଣ୍ଟାଝାର ଗ୍ରାମର ଲାଲମୋନ ନାଏକଙ୍କ ବଡ଼ ପୁଅ ସଞ୍ଜୁ ନାଏକ(୩୧) ଦିଲ୍ଲୀରେ ଏକ ଘରୋଇ କମ୍ପାନୀରେ ସୁପରଭାଇଜର ଭାବେ କାମ କରୁଥିଲେ। ନିଜ ଅଞ୍ଚଳରୁ ଝିଅଙ୍କୁ କାମ ଦେବା ନେଇ ସେ ବାହାରକୁ ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା। କରୋନା ଯୋଗୁ ସେ କିଛି ମାସ ହେଲାଣି ଘରକୁ ଆସିଥିଲେ। ସୂଚନାପାଇ ସିମ୍‌ଡେଗା ପୋଲିସ ବୁଧବାର ଭୋର ସକାଳ ୪ ଟାରେ ତାଙ୍କ ଘରେ ଚଢାଉ କରି ଉକ୍ତ ଯୁବକକୁ ଗିରଫ କରିଛି। ତେବେ ଉକ୍ତ ଯୁବକଙ୍କୁ ଗିରଫ କରି ନେଉଥିବା ସମୟରେ ତାଙ୍କ ଘର ଲୋକ ଓ ପୋଲିସ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା ଏବଂ ଗାଁ ଲୋକ ମାନେ ପୋଲିସ ଉପରକୁ ପଥର ଫେପାଡ଼ି ଥିଲେ। ତାଙ୍କ ମା’ ଜୋର ଜବରଦସ୍ତ କରି ପୋଲିସ ଗାଡିକୁ ଅଟକାଇବାକୁ ଚେଷ୍ଟା କରି ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇ ଅଧିକ ଚିକିତ୍ସା ପାଇଁ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଛି।