ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ମାରି କୋଇଲା ଖଣିରେ ଫିଙ୍ଗିଦେଲେ ସ୍ତ୍ରୀ

ମୁମ୍ବାଇ,୧ା୮: ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ସ୍ବାମୀଙ୍କ ଚାକିରି ହଡ଼ପ କରିବା ପାଇଁ ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ମାରି ଦେଇଛନ୍ତି। ଏହି ଘଟଣାରେ ତାଙ୍କ ମା’ ବି ସାମିଲ ଥିଲେ। ସ୍ବାମୀଙ୍କୁ ହତ୍ୟା କରିବା ପରେ ମହିଳା ଜଣକ କୋଇଲା ଖଣି ନିକଟରେ ମୃତଦେହ ଫିଙ୍ଗି ଦେଇଥିଲେ। ଅଜଣା ମୃତଦେହ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ୨୪ ଘଣ୍ଟା ମଧ୍ୟରେ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିଛି।

ଏହି ଘଟଣା ଚନ୍ଦ୍ରପୁରର ବଲାରପୁର ସହରରେ ଘଟିଛି। ସହରର ଶାସ୍ତି ରୋଡ୍‌ରେ ବର୍ଦ୍ଧା ନଦୀ କୂଳ କୋଇଲା ଖଣିରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ପୋଲିସକୁ ସୂଚନା ମିଳିଥିଲା। ମୃତକ ଜଣଙ୍କ ୩୪ ବର୍ଷୀୟ ମାରୁତି କାକଡ଼େ ବୋଲି ପୋଲିସ ଜାଣିବାକୁ ପାଇଥିଲା। ମାରୁତି ଓ୍ବେଷ୍ଟର୍ନ କୋଲ୍‌ ଫିଲ୍ଡସ ଲିମିଟେଡ୍‌ରେ ଚାକିରି କରିଥିଲେ। ମୃତକଙ୍କ ଶରୀରରେ କ୍ଷତଚିହ୍ନ ଥିବାରୁ ପୋଲିସର ସନ୍ଦେହ ହୋଇଥିଲା। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିଥିଲା। ତେଣୁ ପୂରା ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଥିଲା।

ପୋଲିସ କହିଛି, ମାରୁତିଙ୍କ ହତ୍ୟା ଯୋଜନା ତାଙ୍କ ସ୍ତ୍ରୀ କରିଥିଲେ। ୨୫ ବର୍ଷୀୟା ପ୍ରାଜକ୍ତାଙ୍କର ତାଙ୍କ ଭଉଣୀଙ୍କ ଦିଅର ସଞ୍ଜୟଙ୍କ ସହ ପ୍ରେମ ସମ୍ପର୍କ ଥିଲା। ବିବାହ ପରେ ମଧ୍ୟ ପ୍ରେମିକଙ୍କ ସହ ସେ କଥାବାର୍ତ୍ତା କରୁଥିଲେ। ସେ ଚାହୁଁଥିଲେ ବାକି ଜୀବନ ସଞ୍ଜୟଙ୍କ ସହ ରହିବା ପାଇଁ। ଏଥିପାଇଁ ସ୍ବାମୀଙ୍କୁ ନିଜ ରାସ୍ତାର କଣ୍ଟା ଭାବୁଥିଲେ।

ମାରୁତିଙ୍କ ସହ ପ୍ରାଜକ୍ତାଙ୍କର ସବୁଦିନ ଝଗଡ଼ା ହୁଏ। ତେଣୁ ସେ ସ୍ବାମୀଙ୍କୁ ଜୀବନରୁ ସବୁଦିନ ପାଇଁ ହଟାଇ ଦେବାକୁ ଚାହୁଁଥିଲେ। ଏଥିପାଇଁ ପ୍ରାଜକ୍ତା ତାଙ୍କ ମା’ଙ୍କ ସହ କଥା ହୋଇଥିଲେ। ପ୍ରେମିକ ସଞ୍ଜୟ ଏବଂ ମା’ଙ୍କ ସହ ମିଶି ମାରୁତିଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି ପ୍ରାଜକ୍ତା। ପୋଲିସ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି।

Share