ପୋଲିସ ବେଶରେ ଚାନ୍ଦା ଆଦାୟ କରିବା ପଡ଼ିଲା ମହଙ୍ଗା

ଜୟପୁର,୧୫ା୧୨(ପବନ ପାଣିଗ୍ରାହୀ): ଜୟପୁରରେ ପୋଲିସ ବେଶରେ ଚାନ୍ଦା ଆଦାୟ କରିବା ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ପଡିଛି। ତାଙ୍କୁ ଗିରଫ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ସହରର ନୂଆସାହି, ମହାନ୍ତିସାହି, ତେଲିସାହି ଅଞ୍ଚଳରେ ଘରକୁ ଘର ବୁଲି ଲୋକଙ୍କ ଘର କବାଟ ବାଡେଇ ପୋଲିସ ବେଶରେ ଲୋକଙ୍କୁ ଚାନ୍ଦା ମାଗୁଥିଲେ। ସେ ପୋଲିସ ପୋଷାକ ପନ୍ଧିବା ସହ ଲମ୍ବା ନିଶ ରଖିଥିବାରୁ ଲୋକେ ଭୟରେ ତାଙ୍କୁ ଚାନ୍ଦା ଦେଉଥିଲେ।

ଏହି ସମୟରେ ନୂଆସାହି ଅଞ୍ଚଳର ସୁମନ୍ତ ସାହୁଙ୍କର ସନ୍ଦେହ ହେବାରୁ ସେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତାଙ୍କ ପରିଚୟପତ୍ର ମାଗିଥିଲେ। ସେ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ। ତେବେ ତାଙ୍କ ହାବଭାବ ସନ୍ଦେହ ହେବାରୁ ସୁମନ୍ତ ଟାଉନଥାନାକୁ ଖବର ଦେଇଥିଲେ। ପରେ ସାହି ବାସିନ୍ଦା ତାଙ୍କୁ ଧରି ପୋଲିସ ଜିମା ଦେଇଥିଲେ। ସମ୍ପୃକ୍ତ ବ୍ୟକ୍ତି ଜଣକ ନିଜର ପରିଚୟ ଠିକରେ କହୁନାହାନ୍ତି। ସେ ତାଙ୍କ ନାଁ ଭଗବାନ ନାଥ(୪୧) ମଧ୍ୟପ୍ରଦେଶର ଇନ୍ଦୋର ଜିଲାର ସାନୱାର ଥାନା ଅନ୍ତର୍ଗତ ଲଛମନଖେଡି ବୋଲି କହୁଥିବା ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର କହିଛନ୍ତି। ତାଙ୍କ ଗତିବିଧିରୁ ସନ୍ଦେହ ଉପୁଜିବାରୁ ଦଫା ୪୧୯/୪୨୦/୧୭୧ ଭାରତୀୟ ଦଣ୍ଡବିଧି ଆଇନରେ ତାଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ତାଙ୍କୁ କୋର୍ଟକୁ ଚାଲାଣ କରାଯାଇଛି।

Share