Categories: ଜାତୀୟ

ମହିଳା ରେସ୍‌ଲରଙ୍କ ସହିତ ବ୍ରିଜ୍‌ଭୂଷଣଙ୍କ କାର୍ଯ୍ୟାଳୟରେ ପୋଲିସ

ନୂଆଦିଲ୍ଲୀ, ୧୦ା୬(ପି.ଟି.): ମହିଳା ରେସ୍‌ଲରଙ୍କ ପ୍ରତି ଯୌନଶୋଷଣ ମାମଲାରେ ଭାରତୀୟ ରେସଲିଂ ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ପୂର୍ବତନ ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି ଦିଲ୍ଲୀ ପୋଲିସ। ଜଣେ ମହିଳା ରେସ୍‌ଲରଙ୍କ ସହିତ ଦିଲ୍ଲୀ ପୋଲିସ ଘଟଣାସ୍ଥଳକୁ ଯାଇ ସିନ୍‌ ରିକ୍ରିଏଶନ୍‌ କରିଥିଲା। ଏହା ପୂର୍ବରୁ ଜୁନ୍‌ ୧୫ ମଧ୍ୟରେ ଦିଲ୍ଲୀ ପୋଲିସ ଏହାର ଚାର୍ଜଶିଟ୍‌ ଦାଖଲ କରିବା ପାଇଁ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଯନ୍ତରମନ୍ତରଠାରେ ଚାଲିଥିବା ମାସେବ୍ୟାପୀ ଆନ୍ଦୋଳନ ବନ୍ଦ ରହିଥିଲା। ଶୁକ୍ରବାର ଦିଲ୍ଲୀ ପୋଲିସ ଅପରାହ୍ନ ୧.୩୦ରେ ପହଞ୍ଚି ପ୍ରାୟ ୩୦ ମିନିଟ ଧରି ତଦନ୍ତ କରିଥିଲା। କେଉଁ ପରିସ୍ଥିତିରେ ମହିଳାଙ୍କ ସହିତ ଅସଦାଚରଣ ଘଟିଥିଲା, ସିନ୍‌ ରିକ୍ରିଏଶନ୍‌ ଜରିଆରେ ଏହାକୁ ବୁଝିବାକୁ ପ୍ରୟାସ କରାଯାଇଥିଲା। ଡବ୍ଲ୍ୟୁଏଫ୍‌ଆଇ ପରିସରରୁ ପୋଲିସ୍‌ ଟିମ୍‌ ଯିବା ପରେ ଭିନେଶ ଫୋଗତ ଟୁଇଟ୍‌ କରି ବ୍ରିଜ୍‌ଭୂଷଣଙ୍କୁ ସମାଲୋଚନା କରିଥିଲେ। ଏହାସହିତ କିଛି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ବ୍ରିଜ୍‌ଭୂଷଣ କେତେ ଶକ୍ତିଶାଳୀ ତାହା ସମସ୍ତେ ଜାଣନ୍ତି। ନିଜର ବାହୁବଳ, ଅର୍ଥବଳ ଓ ମିଡିଆର ସହଯୋଗ ବଳରେ ସେ ଏଭଳି ମିଥ୍ୟା ଖବର ପ୍ରସାର କରୁଛନ୍ତି। ପୋଲିସ୍‌ ରେସ୍‌ଲରଙ୍କୁ ହଇରାଣ କରିବା ପରିବର୍ତ୍ତେ ତାଙ୍କୁ ଗିରଫ କଲେ ହିଁ ନ୍ୟାୟ ମିଳିପାରିବ, ନଚେତ୍‌ ଏହାର ସମ୍ଭାବନା କମ୍‌ ବୋଲି ଭିନେଶ ଟୁଇଟ୍‌ କରିଥିଲେ। ମହିଳା ରେସ୍‌ଲରମାନେ ଘଟଣାସ୍ଥଳକୁ ତଦନ୍ତ ପାଇଁ ଯାଇଥିବା ବେଳେ ସେମାନେ ବୁଝାମଣା ପାଇଁ ଯାଇଥିବା କିଛି ଚ୍ୟାନେଲରେ ଦେଖିବାକୁ ମିଳିଥିଲା। ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଏହି ମାମଲାର ତଦନ୍ତ କରୁଛି। ବର୍ତ୍ତମାନ ସୁଦ୍ଧା ଏସ୍‌ଆଇଟି ଟିମ୍‌ ପ୍ରାୟ ୧୮୦ ଜଣ ଲୋକଙ୍କୁ ପଚରାଉଚରା କରିସାରିଛି। ଉଲ୍ଲେଖଯୋଗ୍ୟ, ଅସଦାଚରଣ ମାମଲାରେ ବ୍ରିଜ୍‌ଭୂଷଣଙ୍କୁ ଗିରଫ ଦାବିରେ ଯନ୍ତରମନ୍ତରଠାରେ ଧାରଣାରେ ବସିଥିଲେ ଅଲିମ୍ପିକ୍ସ ପଦକ ବିଜେତା ସାକ୍ଷୀ ମଲିକ୍‌, ବଜରଙ୍ଗ ପୁନିଆ ଓ ଏସିଆନ୍‌ ସ୍ବର୍ଣ୍ଣ ବିଜୟିନୀ ଭିନେଶ ଫୋଗତ। ସରକାରଙ୍କ ପ୍ରତିଶ୍ରୁତି ପରେ ବର୍ତ୍ତମାନ ଏହି ଧାରଣା ବନ୍ଦ ରହିଛି।

Share