ପୋଲିସ ଛାଇରେ, ଆନ୍ଦୋଳନକାରୀ ଖରାରେ

ଭୁବନେଶ୍ୱର, ୧୭।୪ (ବ୍ୟୁରୋ): ବିଭିନ୍ନ ଦାବିନେଇ ଓଡିଶା ରାଜ୍ୟ ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ସଂଘ ପକ୍ଷରୁ ଇଡ୍‌କୋ ଟାଓ୍ବାରସ୍ଥିତ ଟିପିସିଓଡିଏଲ୍‌ ଅଫିସ୍‌ ସମ୍ମୁଖରେ ଆନ୍ଦୋଳନ କରାଯାଇଥିଲା। ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୧୦ଟାରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିବାକୁ ଯାଉଥିବାବେଳେ ପୋଲିସ ବାରଣ କରିବା ସହ ହଟାଇ ଦେଇଥିଲା। ଫଳରେ ସେମାନେ ଦୀର୍ଘ ସମୟ ଧରି ଖରାରେ ଛିଡ଼ା ହୋଇ ଦାବି ଉପସ୍ଥାପନ କରିବା ସହ ଟିପିସିଓଡିଏଲ୍‌ କର୍ତ୍ତୃପକ୍ଷଙ୍କୁ ୧୪ଦଫା ଦାବିପତ୍ର ପ୍ରଦାନ କରିଥିଲେ। ୧୫ଦିନ ଭିତରେ ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିଥିବା ସଂଘ ପକ୍ଷରୁ କୁହାଯାଇଛି। ତେବେ ଆନ୍ଦୋଳନ ରୋକିବାକୁ ପୋଲିସ ସେଠାରେ ତମ୍ବୁ ପକାଇ ଜଗି ରହିଥିଲା। କରୋନା ସଂକ୍ରମଣ ନାଁରେ ଆନ୍ଦୋଳନକୁ ବନ୍ଦ କରିଦେଇଥିଲା। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ଆନ୍ଦୋଳନକାରୀମାନେ ପୋଲିସକୁ ଇଙ୍ଗିତ କରି ‘ତୁମେ ଛାଇରେ ଜଗିଲ, ଆମକୁ ଖରାରେ କାହିଁକି ଠିଆ କଲ’ ବୋଲି କହୁଥିବା ଦେଖିବାକୁ ମିଳିଥିଲା।

Share