ଚା ଦୋକାନୀଙ୍କୁ ପୋଲିସର ମାଡ଼, ପରେ…

ବରଗଡ଼,୩୧।୭(ପ୍ରେମନନ୍ଦ ଖମାରୀ): ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଲାପାଣି ଛକର କେତେକ ଚା’ ଦୋକାନୀଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ନେଇ ସମ୍ପୃକ୍ତ ଚା ଦୋକାନୀମାନେ ଗ୍ରାମାଞ୍ଚଳ ଥାନାରେ ସୋମବାର ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି। ତେବେ ଏ ସମ୍ପର୍କରେ ଗ୍ରାମାଞ୍ଚଳ ଥାନା ଅଧିକାରୀ ବୁଲୁ ମୁଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ, ସମ୍ପୃକ୍ତ ଚା ଦୋକାନୀମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୋକାନ ଖୋଲା ରଖୁଛନ୍ତି। ଅନ୍ୟପଟେ ସେ ଅଞ୍ଚଳରେ ଅସାମାଜିକତତ୍ତ୍ୱ ବଢ଼ି ଚାଲିଥିବା ଯୋଗୁ ପୋଲିସର ରାତ୍ରିକାଳୀନ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ବିଳମ୍ବିତ ରାତିରେ ଦୋକାନ ଖୋଲିଥିବା ଯୋଗୁ ପାଟ୍ରୋଲିଂ ଟିମ୍‌ର ପୋଲିସ କର୍ମଚାରୀମାନେ ସମ୍ପୃକ୍ତ ଚା ଦୋକାନରେ ପହଞ୍ଚତ୍ଥିଲେ ଏବଂ ସମ୍ପୃକ୍ତ ଅଞ୍ଚଳରେ ଅସାମାଜିକତତ୍ତ୍ୱ ବଢ଼ୁଥିବା ଯୋଗୁ ଦୋକାନ ସେଭଳି ବିଳମ୍ବିତ ରାତି ପର୍ଯ୍ୟନ୍ତ ନ ଖୋଲିବା ପାଇଁ କହିଥିଲେ ବୋଲି ଥାନା ଅଧିକାରୀ ମୁଣ୍ଡା କହିଛନ୍ତି।
ଅନ୍ୟପଟେ ସମ୍ପୃକ୍ତ ଚା ଦୋକାନୀ ମୁନ୍ନା ପାଣିଗ୍ରାହୀ, ଅଭିଷେକ ଗୁପ୍ତା, ତ୍ରିଲୋଚନ ନାଗ, ସ୍ବାଧୀନ ନାଗ, ଅର୍ଜୁନ ଗୁପ୍ତା ପୋଲିସକୁ ଦେଇଥିବା ଲିଖିତ ଅଭିଯୋଗରେ ଉଲ୍ଲେଖ କରିଛନ୍ତି, ଗତ ୨୬ ତାରିଖ ବିଳମ୍ବିତ ରାତି ପ୍ରାୟ ୧ଟାରେ ଗ୍ରାମାଞ୍ଚଳ ଥାନାର ୨ ପୋଲିସ କର୍ମଚାରୀ ଦୋକାନରୁ ଟାଣି ଆଣି ରାସ୍ତା ଉପରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି। ଏପରି କି ଦୋକାନ ବନ୍ଦ ନ କଲେ ମିଛ କେଶରେ ଫସାଇ ଦେବା ପାଇଁ ମଧ୍ୟ ପୋଲିସ କର୍ମଚାରୀମାନେ ଧମକ୍‌ ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାର ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ ଥାନା ଅଧିକାରୀଙ୍କୁ ନିବେଦନ କରିଛନ୍ତି।

Share