ଖଲ୍ଲିକୋଟ,୧୩ା୧୨(ଦିଲ୍ଲୀପ ସାମଲ/ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଦପଲ୍ଲୀ ପଞ୍ଚାୟତରେ ଶୁକ୍ରବାର ଦୀର୍ଘଦିନ ଧରି ବେନିୟମ ଭାବେ ହେଉଥିବା ମଦଭାଟି ଉପରେ ଚଢ଼ାଉ କରାଯାଇଛି। ବ୍ୟାପକ ଦେଶୀମଦ ଭାଟି ଦୁଇ ଲକ୍ଷ ଲିଟର ପୋଚ୍ ନଷ୍ଟ କରିବା ସହ ବିପୁଳ ପରିମାଣର ମଦ ରନ୍ଧା ଡେକ୍ଚି, ପ୍ଲାଷ୍ଟିକ ଡ୍ରମ୍, ମଦ ବ୍ୟାରେଲ ଓ ଦେଶୀମଦ ପ୍ୟାକେଟ୍ ଜବତ କରିଛନ୍ତି। ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ସକାଳ ୫ଟା ସମୟରେ ୨ ଜଣ ଅତିରିକ୍ତ ଏସ୍ପି ୨୦ ଜଣ ଆଇଆଇସି ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ବାଦପଲ୍ଲୀ ପଞ୍ଚାୟତର ନୂଆଁପଲ୍ଲୀ, ଦେବୀଝର, ଗୁଣ୍ଡୁରିପଲ୍ଲୀ, କମାରସିଙ୍ଗି, ମରେଇ ନୂଆଗାଁ ଓ ବାଦପଲ୍ଲୀ ଗ୍ରାମରେ ଚଢ଼ାଉ କରି ବ୍ୟାପକ ଦେଶୀମଦ ଭାଟି ଭାଙ୍ଗିବା ସହ ଦୁଇ ଲକ୍ଷ ଲିଟର ପୋଚ ନଷ୍ଟ କରିଛନ୍ତି। ୧୩୫ଟି ମଦ ରନ୍ଧା ଡେକ୍ଚି,୪୦୨ ପ୍ଲାଷ୍ଟିକ ଡ୍ରମ୍, ବ୍ୟାପକ ମଦ ବ୍ୟାରେଲ ଓ ଦେଶୀମଦ ପ୍ୟାକେଟ୍,୧୩ ମହୁଲ ବସ୍ତା, ଦୁଇଟି ଦେଶୀ ବନ୍ଧୁକ, ୫ଟି ପମ୍ପ, ଦୁଇଟି ବାଇକ୍ ଜବତ କରିଛନ୍ତି । ଏ ସଂକ୍ରାନ୍ତରେ ୨୦ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।


