ଥାନାକୁ ଆଣି ଛାଡ଼ିଦେଲା ପୋଲିସ

ସମ୍ବଲପୁର,୧୩ା୮(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ପୋଲିସ ଶୁକ୍ରବାର ଏକ ସ୍କ୍ରାପ୍‌ ବୋଝେଇ ଟ୍ରାକ୍ଟର ଥାନାକୁ ଆଣି ଛାଡ଼ିଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ସ୍ଥାନୀୟ କେତେଜଣ ରାଜନେତାଙ୍କ ଚାପରେ ପୋଲିସ ଏଭଳି କରିଥିବା କୁହାଯାଉଛି। ଅପରପକ୍ଷେ ଉକ୍ତ ଟ୍ରାକ୍ଟରଟି ସ୍ଥାନୀୟ ଗଡ଼ଗଡ଼ବାହାଲ ରାସ୍ତା ନିର୍ମାଣକାରୀ ସଂସ୍ଥା ଗାୟତ୍ରୀ କନ୍‌ଷ୍ଟ୍ରକଶନର ସାମଗ୍ରୀ ନେଉଥିବା ନେଇ ଚର୍ଚ୍ଚା ହେଉଛି। ସ୍ଥାନୀୟ ରାଜନେତାଙ୍କ ସମ୍ପର୍କୀୟଙ୍କ ଟ୍ରାକ୍ଟର ବୋଲି ଅଭିଯୋଗ ହେଉଛି।
ମିଳିଥିବା ସୂଚନା ଅନୁସାରେ ଗଡ଼ଗଡ଼ବାହାଲ ଏହି ଗାୟତ୍ରୀ କନ୍‌ଷ୍ଟ୍ରକଶନ କମ୍ପାନୀରୁ ଗୁରୁବାର ବିଳମ୍ବିତ ରାତ୍ରିରେ ଟ୍ରାକ୍ଟରରେ ଆଜବେଷ୍ଟସ୍‌ ଓ ଲୁହା ସାମଗ୍ରୀ ବୋଝେଇ ହୋଇ ଯାଉଥିଲା। ଏହି ସମୟରେ ଯୁଯୁମୁରା ପାଟ୍ରୋଲିଂ ଭ୍ୟାନ ଉକ୍ତ ଟ୍ରାକ୍ଟରକୁ ଜବତ କରିଥିଲା। ଘଟଣାସ୍ଥଳରୁ ୪ଜଣ ଫେରାର ହୋଇଯାଇଥିବା ବେଳେ ପୋଲିସ ୩ଜଣଙ୍କୁ କାବୁ କରିଥିଲା। ସେମାନଙ୍କୁ ଥାନାକୁ ଆଣି ଶୁକ୍ରବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅଟକ ରଖିଥିଲା ଓ ପରେ ଚାପରେ ପଡି ଗାଡ଼ି ଛାଡ଼ିଦେଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଯୁଯୁମୁରା ଥାନାଧିକାରୀ ରାଜକୁମାର ବିଶ୍ୱାଳ କହିଛନ୍ତି, ପୋଲିସ ସନ୍ଦେହ କରି ଥାନାକୁ ଟ୍ରାକ୍ଟର ଆଣିଥିଲା। ତଦନ୍ତ ପରେ ଏହା ସ୍ଥାନୀୟ ଜଣେ ବ୍ୟକ୍ତିଙ୍କର ବୋଲି ସେ ଦାବି କରିଥିଲେ। ଗାୟତ୍ରୀ କମ୍ପାନୀ ପକ୍ଷରୁ କୌଣସି ଅଭିଯୋଗ ନ ହେବାରୁ ପୋଲିସ ଛାଡ଼ିଦେଇଥିଲା। ଗାୟତ୍ରୀ କମ୍ପାନୀର ଦାୟିତ୍ୱରେ ଥିବା ଅଧିକାରୀ ଜି. ରମନ୍ନା କହନ୍ତି, ଆମ କମ୍ପାନୀର ସାମଗ୍ରୀ ଚୋରି ହୋଇଥିବା ନେଇ ମୋ ପାଖକୁ ସୂଚନା ଆସିଥିଲା। ହେଲେ କମ୍ପାନୀ ପରିଚାଳନା କରିବା ପାଇଁ ଆଉ ଏକ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି। ହେଲେ ମଧ୍ୟ ଥାନାରେ ଅଭିଯୋଗ କରିବି ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ଏନ୍‌ଏଚ୍‌ ୫୫ର ୪ଥାକିଆ କାମ ଏହି ଗାୟତ୍ରୀ କନ୍‌ଷ୍ଟ୍ରକଶନ ହାତରେ ରହିଥିଲା। କମ୍ପାନୀ କାର୍ଯ୍ୟରେ ବିଳମ୍ବ କରିବାରୁ ଏବେ ଅନ୍ୟ ଏକ କମ୍ପାନୀକୁ ହସ୍ତାନ୍ତର କରାଯାଇଛି। ଗାୟତ୍ରୀ କମ୍ପାନୀର ଅଧିକାରୀ ଓ କର୍ମଚାରୀମାନେ ଏବେ ମଧ୍ୟ ରାସ୍ତା କାମର ସୁପରଭିଜନ କରିବା ପାଇଁ ରହିଛନ୍ତି। କମ୍ପାନୀର ଉଚ୍ଚ କର୍ତ୍ତୃପକ୍ଷ ନ ଥିବାରୁ ପର୍ଯ୍ୟାୟକ୍ରମେ ପ୍ରାୟ ୫୦ଲକ୍ଷ ଟଙ୍କାର ସ୍କ୍ରାପ ଆକାରରେ ବିକ୍ରି କରାଯାଇଥିବା ଏହି କମ୍ପାନୀର ଜଣେ କର୍ମଚାରୀ କହିଛନ୍ତି।

Share