ୟୁସିଏଲ୍‌ଏ କ୍ୟାମ୍ପସ୍‌ରେ ପୋଲିସ ବର୍ବରତା

ଲସ୍‌ ଏଞ୍ଜେଲସ୍‌,୩ା୫:କାଲିଫର୍ନିଆର ଲସ୍‌ ଏଞ୍ଜେଲସ୍‌ସ୍ଥିତ ବିଶ୍ୱବିଦ୍ୟାଳୟ (ୟୁସିଏଲ୍‌ଏ)ପରିସରରେ ପାଲେଷ୍ଟିନୀୟ ସପକ୍ଷବାଦୀ ଆନ୍ଦୋଳନ ଜାରି ରହିଥିବାବେଳେ ବିଳମ୍ବିତ ରାତିରେ ହେଲମେଟ ପିନ୍ଧିଥିବା ପୋଲିସ କ୍ୟାମ୍ପସ୍‌ରେ ପ୍ରବେଶ କରି ଫ୍ଲାସ୍‌ ବ୍ୟାଙ୍ଗ ଫାୟାର କରିବା ସହ ଶତାଧିକ ବିକ୍ଷୋଭକାରୀଙ୍କୁ ଗିରଫ କରିଛନ୍ତି। ଏଥିସହିତ ସେମାନଙ୍କ କ୍ୟାମ୍ପ୍‌କୁ ପୋଲିସ ଭାଙ୍ଗିଦେଇଛି।
ଗାଜା ଉପରେ ଇସ୍ରାଏଲ୍‌ ଯୁଦ୍ଧକୁ ବିରୋଧ କରି ଆମେରିକାର ବିଭିନ୍ନ କଲେଜ ଓ ୟୁନିଭର୍ସିଟି କ୍ୟାମ୍ପସ୍‌ରେ ବିକ୍ଷୋଭ ଏବଂ ସୁରକ୍ଷା ବଳ ସହ ସଂଘର୍ଷ ଯୋଗୁ ଉତ୍ତେଜନା ଲାଗିରହିଥିବାବେଳେ ପୋଲିସର ରାତିଅଧିଆ କାର୍ଯ୍ୟାନୁଷ୍ଠାନ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଦେଇଛି। ପୋଲିସ ବିକ୍ଷୋଭକାରୀ ଛାତ୍ରମାନଙ୍କୁ ଘୋଷାଡ଼ି ନେଉଥିବା ଦେଖିବାକୁ ମିଳିଛି। ପୋଲିସ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଛାତ୍ରମାନଙ୍କୁ ବିକ୍ଷୋଭ ସ୍ଥଳ ଛାଡ଼ି ଚାଲିଯିବା ପାଇଁ ମାଇକ ଯୋଗେ ବାରମ୍ବାର ଘୋଷଣା କରାଯାଇଥିଲା। ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ବିକ୍ଷୋଭକାରୀ ସ୍ଥାନ ଛାଡ଼ି ନ ଯିବାରୁ ସଶସ୍ତ୍ର ପୋଲିସ କ୍ୟାମ୍ପସ୍‌ରେ ପ୍ରବେଶ କରିଥିଲା। ବିକ୍ଷୋଭକାରୀ ସେମାନଙ୍କ ଅଗ୍ରଗତିକୁ ବାଧା ଦେବା ସହ ବ୍ୟାରିକେଡ୍‌ ଭାଙ୍ଗିଥିଲେ। ପୋଲିସ ସେମାନଙ୍କ କ୍ୟାମ୍ପ୍‌କୁ ହଟାଇଦେବା ସହ ବିକ୍ଷୋଭକାରୀଙ୍କୁ ଗିରଫ କରିଥିଲା। ପୋଲିସ୍‌ର ଫ୍ଲାସ୍‌ ବ୍ୟାଙ୍ଗ ବା ଷ୍ଟନ୍‌ ଗ୍ରେନେଡ୍‌ ମାଡ଼ ଯୋଗୁ ୟୁସିଏଲ୍‌ଏ କ୍ୟାମ୍ପସ୍‌ରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା। କେତେଜଣ ବିକ୍ଷୋଭକାରୀ ଛାତ୍ର ହାତ ଟେକି ପୋଲିସ ସୁରକ୍ଷାରେ ବାହାରିଯାଇଥିଲେ। ସ୍ଥାନୀୟ ଟେଲିଭିଜନର ଆକଳନ ଅନୁଯାୟୀ କ୍ୟାମ୍ପସ୍‌ ପରିସରରେ ୩୦୦ରୁ ୫୦୦ ବିକ୍ଷୋଭକାରୀ ରହିଥିଲାବେଳେ ସେମାନଙ୍କ ସମର୍ଥନରେ ୨,୦୦୦ରୁ ଊର୍ଦ୍ଧ୍ୱ ଛାତ୍ର ବ୍ୟାରିକେଡ୍‌ ବାହାରେ ରହିଥିଲେ।
ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୭ରୁ ଇସ୍ରାଏଲ୍‌ ଗାଜା ଷ୍ଟ୍ରିପ୍‌ ଉପରେ ଆକ୍ରମଣ ଜାରି ରଖିଥିବାବେଳେ ଏଥିରେ ୩୪,୦୦୦ ଲୋକଙ୍କ ମୃତ୍ୟୁ ଘଟିବା ସହ ସେଠାରେ ମାନବୀୟ ସଙ୍କଟ ସୃଷ୍ଟି ହୋଇଛି। ଲକ୍ଷ ଲକ୍ଷ ଲୋକ ଘରଦ୍ୱାର ଛାଡ଼ି ବାହାରେ ଦୟନୀୟ ସ୍ଥିତିରେ ପଡ଼ିରହିଛନ୍ତି। ଇସ୍ରାଏଲ୍‌କୁ ଆମେରିକା ସାମରିକ ସହାୟତା ଯୋଗାଇ ଆସୁଥିବାବେଳେ ତୁରନ୍ତ ରକ୍ତପାତ ବନ୍ଦ ଲାଗି ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଆହ୍ବାନ ଦେଇଛନ୍ତି।

Share