Categories: ଜାତୀୟ

କୋଲକାତା ବଳାତ୍କାର ଘଟଣାରେ ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି, ଜଣାପଡିଲା ସେ…

କୋଲକାତା,୩୧।୮: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ପ୍ରତିଦିନ କିଛି ନା କିଛି ନୂଆ ଖୁଲାସା ହେଉଛି। ବର୍ତ୍ତମାନ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ଚାରିଆଡେ କମ୍ପନ ସୃଷ୍ଟି ହୋଇଛି।

ଅଗଷ୍ଟ ୩୦ ଅର୍ଥାତ୍‌ ଗତକାଲି ରାତି ୨ଟାରେ କାଲକାତାର ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟ ନିକଟରେ ଛାତ୍ରୀଛାତ୍ରମାନେ ବିରୋଧ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ଗୋଟିଏ ପୋଲିସ ବାଇକ୍‌ ଗହଳି ଭିତରକୁ ପଶି ଆସି ଜଣେ ଛାତ୍ରଙ୍କ ଉପରକୁ ମାଡି ଯାଇଥିଲା। ଯେଉଁଥିରେ ଛାତ୍ରଜଣକ ଗୁରୁତର ଆହତ ହୋଇଥିଲେ।

ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରଙ୍କୁ ଆଘାତ ଦେବା ପରେ କିଛି ଛାତ୍ରୀଛାତ୍ର ସେହି ବ୍ୟକ୍ତିଙ୍କୁ ଘେରି ଯାଇଥିଲେ। ଏହି ସମୟରେ ସେ ବାଇକ୍‌ରେ କୋଲକାତା ପୋଲିସର ଷ୍ଟିକର ଲାଗିଥିବା ଦେଖିବାକୁ ମିଳିଥିଲା। କିନ୍ତୁ ବ୍ୟକ୍ତିଜଣକ କୌଣସି ପୋଲିସ ନ ଥିଲେ। ସେ ଅଭିଯୁକ୍ତ ସଞ୍ଜୟ ରୟଙ୍କ ପରି ପୋଲିସର ସ୍ବେଚ୍ଛାସେବୀ ଭାବେ କାମ କରୁଥିଲେ। ମଦ ପିଇଦେଇଥିବା ଯୋଗୁଁ ସେ ବାଇକ୍‌କୁ ଛାତ୍ରଙ୍କ ଉପରକୁ ଚଢାଇ ଦେଇଥିଲେ।

ସେଠାରେ ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ, ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ସେହି ବ୍ୟକ୍ତିଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଛାଡି ଦେଇଥିଲେ। ଯାହାକୁ ନେଇ ଡାକ୍ତରୀ ଛାତ୍ରମାନେ ରାଗିଯାଇ ସେହି ବ୍ୟକ୍ତିଙ୍କ ଗିରଫ ଦାବି କରି ରାସ୍ତା ଅବରୋଧ କରିଥିଲେ।

ଅନ୍ୟପକ୍ଷରେ କୋଲକାତା ପୋଲିସ ଦାବି କରିଛି ଯେ, ଶନିବାର ସକାଳେ ତାଙ୍କ ବିରୋଧରେ ଏଫଆଇଆର୍‌ ରୁଜୁ ହୋଇଛି। ଏବଂ ଏହାର କିଛି ଘଣ୍ଟା ପରେ ତାଙ୍କୁ ଗିରଫ କରାଯାଇଛି। ଗିରଫ ପରେ ତାଙ୍କୁ ସ୍ବେଚ୍ଛାସେବୀ ଦଳରୁ ମଧ୍ୟ ହଟାଇ ଦିଆଯାଇଛି।

Share