ବ୍ରହ୍ମପୁର,୩।୭(ସୁବାସ ଚନ୍ଦ୍ର ପାଢ଼ୀ): ବଡବଜାର ପୋଲିସ ଶ୍ରୀକ୍ଷେତ୍ରବିହାରରେ ଡକାୟତି ଯୋଜନା ଘଟଣାର ଫେରାର ଥିବା ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଗଣପତି ନଗରର ଲାଲା ମହାନ୍ତି(୨୫) ଏବଂ ବାଲାଜି ବେହେରା (୩୦)। ଏନେଇ ପୋଲିସ ଏକ ମାମଲା(ନଂ.୧୧୦।୨୩) ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।
ଗତ ଏପ୍ରିଲ ୬ରେ ପୋଲିସ ଉକ୍ତ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ରଙ୍ଗୁଣିବନ୍ଧ ସାହିର ପେଷାଦାର ଅପରାଧୀ ଆର୍. ଅନିଲ ରେଡ୍ଡୀ(୨୬), କୁଠାରୀମନ୍ଦିର ସାହିର ତୁଫାନ ନାୟକ(୨୭), ପ୍ରହଲ୍ଲାଦ ନଗରର ସୁରେନ୍ଦ୍ର ସ୍ବାଇଁ ଓରଫ ସୁରି(୩୦), ତ୍ରିନାଥ ମନ୍ଦିର ସାହିର ଆକାଶ ପାତ୍ର(୨୪) ଓ ଆଇନାବନ୍ଧ ସାହିର ନରେନ୍ଦ୍ର ଗୌଡ଼ ଓରଫ ଲଣ୍ଡା(୩୪)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେମାନଙ୍କ ନିକଟରୁ ପୋଲିସ ୩ଟି ଅଫୁଟା ବୋମା, ୨ଟି ଖଣ୍ଡା, ଲୁହାଛଡ଼ ଜବତ କରିଥିଲା।
୬ତାରିଖ ବିଳମ୍ବିତ ରାତିରେ ଶ୍ରୀକ୍ଷେତ୍ରବିହାରରେ କେତେକ ଅସାଜିକ ଯୁବକ ଏକତ୍ରିତ ହୋଇ ଡକାୟତି ପାଇଁ ଯୋଜନା କରୁଥିବା ନେଇ ପୋଲିସକୁ ଖବର ମିଳିଥିଲା। ଘଟଣା ସ୍ଥଳରୁ ପୋଲିସକୁ ଚକମା ଦେଇ ଦୁଇଜଣ ଅପରାଧୀ ଚମ୍ପଟ ମାରିଥିବା ବେଳେ ୫ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲା।