Advertisement

ନକଲି ଟିଟିଇଙ୍କୁ ଧରିଲା ପୋଲିସ

କୋରାପୁଟ,୨୨।୬(ଅମିତାଭ ବେହେରା): କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌ରେ ଗୁରବାର ଟିକେଟ ଯାଞ୍ଚ ଆଳରେ ଟଙ୍କା ଆଦାୟ କରୁଥିବା ଜଣେ ନକଲି ଟିଟିଇଙ୍କୁ ରେଳବାଇ ପୋଲିସ ଗିରଫ କରିଛି। ଏନେଇ କୋରାପୁଟ ଜିଆର୍‌ପି ଓଆଇସି ବି.କେ ଭୋଇ ପ୍ରକାଶ କରିଛନ୍ତି। ଗିରଫ ନକଲି ଟିଟିଇ ଜଣକ ହେଲେ ବୁଦୁରି ନାଗ। ତାଙ୍କ ଘର ଛତିଶଗଡ଼ ରାଜ୍ୟରେ ବୋଲି ଜେରା ବେଳେ ପୋଲିସ ଜାଣିବାକୁ ପାଇଛି।

ମିଳିଥିବା ସୂଚନା ମୁତାବକ, ଗୁରବାର କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଟ୍ରେନରେ ନକଲି ଟିଟିଇ ବୁଦୁରି ନାଗ ଯାତ୍ରୀଙ୍କୁ ଟିକଟ ଯାଞ୍ଚ କରି ଜୋରଜବରଦସ୍ତ ଟଙ୍କା ଆଦାୟ କରୁଥିଲେ। ଏନେଇ କେତେକ ଯାତ୍ରୀ ସନ୍ଦେହ କରି ଲଷ୍ମୀପୂର ଷ୍ଟେଶନ ପୋଲିସକୁ ଖବର ଦେଇଥିଲେ। ଟ୍ରେନ ଲକ୍ଷ୍ମୀପୁର ଷ୍ଟେଶନରେ ପହଞ୍ଚିବା ପରେ ଆର୍‌ପିଏଫ୍‌ ପୋଲିସ ଉକ୍ତ ନକଲି ଟିଟିଇଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଜେରାବେଳେ ସେ ନିଜକୁ ନକଲି ଟିଟିଇ ବୋଲି ସ୍ବୀକାର କରିଥିବା ପୋଲିସ କହିଛି। ପରେ ବୁଦୁରା ପୋଲିସ ଦୁଦୁରିଙ୍କୁ କୋରାପୁଟ ରେଳବାଇ ପୋଲିସକୁ ହସ୍ତାନ୍ତର କରିଥିଲା। ଏନେଇ କୋରାପୁଟ ରେଳବାଇ ଥାନାରେ ଏକ ମାମଲା(ନଂ.୧୦/୨୦୨୩) ରୁଜୁ ହୋଇଛି। ଗିରଫ ନକଲି ଟିଟିଇଙ୍କୁ କୋର୍ଟ ଚାଲାଣ କରାଯାଇଥିବା କୋରାପୁଟ ଜିଆର୍‌ପି ଓଆଇସି ଭୋଇ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share