ନାକଟିଦେଉଳ,୨୨ା୫(ଡି.ଏନ.ଏ.): ନାକଟିଦେଉଳ ପୋଲିସ ହେପାଜତରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ୩ଦିନ ପରେ ସୋମବାର ଗିରଫ ହୋଇଛନ୍ତି। ସେ ହେଲେ ବୌଦ୍ଧ ଜିଲା ବଘିଆପଡ଼ା ଗ୍ରାମର ସନୁଜ ବେହେରା (୨୦)।
ମିଳିଥିବା ସୂଚନା ମୁତାବକ, ସନୁଜଙ୍କ ନାମରେ ନାକଟିଦେଉଳ ଥାନାରେ ଏକ ଚୋରି ମାମଲା ରହିଥିଲା। ଏନେଇ ନାକଟିଦେଉଳ ପୋଲିସ ଟିମ୍ ୧୯ ତାରିଖରେ ବଘିଆପଡ଼ାରୁ ସନୁଜଙ୍କୁ ଗିରଫ କରି ନାକଟିଦେଉଳ ଆଣୁଥିଲେ। ତେବେ ବାଟରେ ପୋଲିସ ଗାଡି ଅଟକାଇ ଏକ ଦୋକାନରେ ଚା ପିଉଥିବା ବେଳେ ଗାଡ଼ିରେ ବସିଥିବା ସନୁଜ ଫେରାର ହୋଇଯାଇଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୬୯/୨୩) ରୁଜୁ କରି ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିଲା। ତେବେ ସନୁଜ ଜଣେ ସମ୍ପର୍କୀୟଙ୍କ ଏକାଦଶାହ ଭୋଜିରେ ଯୋଗ ଦେବାକୁ ବୌଦ୍ଧ ଆସୁଥିବା ଖବର ପାଇ ଛକି ବସିଥିବା ପୋଲିସ ତାଙ୍କୁ କାବୁ କରିନେଇଥିଲା। ସନୁଜଙ୍କୁ ୩୭୯ ଦଫାରେ ସୋମବାର ରେଢ଼ାଖୋଲ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ କୃପା ବାଗ ସୂଚନା ଦେଇଛନ୍ତି।