ସ୍ଥିତି ପରଖିଲେ, ସଚେତନ କଲେ ପୋଲିସ କମିଶନର

ଭୁବନେଶ୍ୱର,୮ା୪(ବ୍ୟୁରୋ): ଅମାନିଆଙ୍କ ପାଇଁ ସହରର ସଂକ୍ରମଣ ଭୟଙ୍କର ରୂପ ନେବାରେ ଲାଗିଛି। ଏପରିସ୍ଥିତିରେ କମିଶନରେଟ ପୋଲିସ କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି। ବୁଧବାର ନିଜେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସହର ବଜାର ବୁଲି ବାସ୍ତବ ସ୍ଥିତି ପରଖିଛନ୍ତି। ତାଙ୍କ ସହିତ ଅତିରିକ୍ତ ପୋଲିସ କମିଶନର ରେଖା ଲୋହାନୀ ଓ ଡିସିପି ଉମାଶଙ୍କର ଦାଶ ବୁଲି ବୁଲି ସମସ୍ତ ଦୋକାନୀଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଆଦି କୋଭିଡ୍‌ ନିୟମ ମାନିବାକୁ ସଚେତନ କରାଇଛନ୍ତି। ତେବେ ଏହି ସମୟରେ ବାପୁଜୀ ନଗରରେ ଥିବା ଏକ ଫାଷ୍ଟ୍‌ଫୁଡ୍‌ ଦୋକାନରେ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ନ ଥିବାରୁ ତାହାକୁ ବନ୍ଦ କରି ଦିଆଯାଇଛି। ଏଥିସହ ମାର୍କେଟରେ ଥିବା ଅନ୍ୟ ଦୋକାନଗୁଡିକୁ କୋଭିଡ୍‌ କଟକଣା ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ଗୁରୁବାରଠାରୁ ରାଜଧାନୀରେ ସବୁ ସ୍ଥାନରେ କୋଭିଡ୍‌ କଟକଣା କଡାକଡି ଭାବେ ପାଳନ କରିବାକୁ ଚଢ଼ାଉ ଓ ଯାଞ୍ଚ ପାଇଁ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ବୁଧବାର ରସୁଲଗଡ଼, ମାର୍କେଟ ବିଲଡିଂ, ମାଷ୍ଟରକ୍ୟାଣ୍ଟିନ, ରାଜମହଲ, ବାପୁଜୀ ନଗର ଆଦି ଅଞ୍ଚଳରେ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି କରାଯାଇଛି। କଟକରେ ଡିସିପି ପ୍ରତୀକ ସିଂ ସହର ବୁଲି ଦୋକାନୀଙ୍କୁ କୋଭିଡ୍‌ କଟକଣା ପାଳନ କରିବାକୁ ଅନୁରୋଧ କରିଛନ୍ତି।

Share