ଅନ୍‌ଲାଇନ ବେଟିଂ ଆଡ୍ଡାରେ ପୋଲିସ ଚଢ଼ାଉ: ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଜନତା ଲେନରେ ଚାଲିଥିବା ବେଆଇନ କ୍ରିକେଟ୍‌ ବେଟିଂ ଆଡ୍ଡା ଉପରେ ଦିଗପହଣ୍ଡି ପୋଲିସ ଆଇଆଇସି ବାବାଶଙ୍କର ସରାଫ ଶନିବାର ଚଢାଉ କରି ଦୁଇଜଣ ଯୁବକଙ୍କୁ ଗିରଫ କରିଛନ୍ତି।

ଗିରଫ ଯୁବକ ଦ୍ବୟ ହେଲେ ଦିଗପହଣ୍ଡି ରାଣିସାହିର କୃଷ୍ଣ ସେଠୀ ଏବଂ ନରେନ୍ଦ୍ରପୁର ଗ୍ରାମର ଶିବ ଓରଫ କେ. ସୁବିନୟ ରେଡି। ସେମାନଙ୍କଠାରୁ ୩ଟି ମୋବାଇଲ ଏବଂ ନଗଦ ୩୨ ହଜାର ଟଙ୍କା ଜବତ କରାଯାଇଥିବା ଆଇଆଇସି ସୂଚନା ଦେଇଛନ୍ତି।

ଗିରଫ ଦୁଇ ଯୁବକଙ୍କୁ ଶୁକ୍ରବାର ଦିଗପହଣ୍ଡି ଥାନା ମାମଲା(ନଂ. ୨୫୬/୨୪) ଅନୁଯାୟୀ କୋର୍ଟ ଚାଲାଣ କରାଯାଇଥିଲା। ହେଲେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ତେବେ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅନ୍ୟ ଜଣେ ଯୁବକ କୌଶଳ କ୍ରମେ ଘଟଣା ସ୍ଥଳରୁ ଚମ୍ପଟ ମାରି ଫେରାର ହେବାରେ ସକ୍ଷମ ହୋଇଥିବା ପୋଲିସ କହିଛି।