ନିଶା ବ୍ୟବସାୟୀଙ୍କ ୧୬ ଘର ଭାଙ୍ଗିଲା ପୋଲିସ

ସମ୍ବଲପୁର,୨୧ା୩(ବ୍ୟୁରୋ): ବେଆଇନ ଭାବେ ନିଶା ବ୍ୟବସାୟ ସହ ବିଭିନ୍ନ ଆପରାଧିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ସମ୍ବଲପୁର ଟାଉନ ଥାନା ସାହୁ କଲୋନୀ ଝୁପୁଡିପଡ଼ାରେ ସୋମବାର ପୋଲିସ ବୁଲ୍‌ଡୋଜର ଚଳାଇଛି। ମହାନଗର ନିଗମ ଏନ୍‌ଫୋର୍ସମେଣ୍ଟ ଦଳ ସହିତ ପୋଲିସ ୧୬ ଘର ଭାଙ୍ଗି ମାଟିରେ ମିଶାଇଦେଇଛି। ଘର ଭାଙ୍ଗିବା ସମୟରେ ବସ୍ତିବାସିନ୍ଦା ବିରୋଧ କରିବାରୁ ଉତ୍ତେଜନା ଦେଖାଦେଇଥିଲା। ହେଲେ ପୋଲିସ ଲୋକଙ୍କୁ ବୁଝାଇବାକୁ ଯାଇ ପୂର୍ବରୁ ନୋଟିସ ଦିଆଯାଇଥିଲା। ଏହା ସରକାରୀ ଜମି। ମହାନଗର ନିଗମ ଏହି ଜମି ଉପରେ ବିକାଶମୂଳକ କାମ କରିବ କହି ଘର ଭାଙ୍ଗି ଦେଇଥିଲା।
ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ କହିଛନ୍ତି, ଏହି ପଡ଼ାରେ ବହୁ ମାତ୍ରାରେ ନିଶା କାରବାର ଚାଲିଥିଲା। କଫ ସିରପ, ଡ୍ରଗ୍ସ ସହ ଅନ୍ୟାନ୍ୟ ନିଶା ବେପାର ହେଉଥିଲା। ପୂର୍ବରୁ ପଡାର ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା। ଏବେ ମଧ୍ୟ କେତେଜଣ ଅଭିଯୁକ୍ତ ଜେଲରେ ଅଛନ୍ତି। ଯେତେ ବାରଣ କଲେ ମଧ୍ୟ ସେମାନେ ମାନୁ ନ ଥିଲେ। ସ୍ଥାନୀୟ ଲୋକମାନେ ମଧ୍ୟ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ଅଭିଯୋଗ କରିଆସୁଥିଲେ। ବାହାରେ ବଡ ଘର କରି ରହୁଥିବା ବ୍ୟକ୍ତିମାନେ ମଧ୍ୟ ଆପରାଧିକ କାର୍ଯ୍ୟ କରିବା ପାଇଁ ଏଠାରେ ଘର କରି ରହୁଥିଲେ। ମହାନଗର ନିଗମ ଉଚ୍ଛେଦ କରିବା ପାଇଁ ସହମତି ପ୍ରକାଶ କରିଥିଲା। ତଦନୁଯାୟୀ ସୋମବାର ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଯଦି କିଛି ଘର ରହିଯିବ ତାହାକୁ ଆଗାମୀ ଦିନରେ ଭାଙ୍ଗିଦିଆଯିବ ବୋଲି ସେ କହିଥିଲେ। ଉତ୍ତେଜନାକୁ ଦେଖି ଘଟଣାସ୍ଥଳରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିଲେ। ଏସ୍‌ଏମ୍‌ସିର ଏନ୍‌ଫୋର୍ସମେଣ୍ଟ ଅଧିକାରୀ ଶୁଭଙ୍କର ମହାନ୍ତିଙ୍କ ସମେତ ଅନ୍ୟ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ।

Share